ମାସିକ ରଚନା ସନ୍ଧ୍ୟା

  • ନାରୀ ଅସୀମ ଶକ୍ତି ଓ ବିପୁଳ ସମ୍ଭାବନାର ଅଧିକାରିଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ସମାଜରେ ନାରୀର ସ୍ଥାନ ସ୍ଵତନ୍ତ୍ର । ସେ ଆଉ ପାରମ୍ପରିକ ଶବ୍ଦରେ ଅବଳା ଦୁର୍ବଳା ନୁହେଁ । ନାରୀ ଏବେ ଅସୀମ ଶକ୍ତିର ଅଧିକାରିଣୀ ଏବଂ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଇ ସମାଜକୁ ନୂତନ ଦିଗଦର୍ଶନ ଦେବା ସହିତ ସାମୁହିକ ବିକାଶରେ ନିଜର କୃତିତ୍ୱ ପ୍ରତିଷ୍ଠା କରିପାରିଛି । ଭବିଷ୍ୟତରେ ମଧ୍ୟ ନାରୀଶକ୍ତିର ବିପୁଳ ସମ୍ଭାବନା ରହିଛି । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ରଚନା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ନାରୀଶକ୍ତି ସ୍ଥିତି ଓ ସମ୍ଭାବନା ଶୀର୍ଷକ ବିଶେଷ ଆଲୋଚନାଚକ୍ରରେ ଏଭଳି ମତ ପ୍ରକାଶ ପାଇଛି । ଏଥିରେ ମାହେଶ୍ୱରୀ ସାମାଜିକ କଲ୍ୟାଣ ସଙ୍ଗଠନ ମହିଳା ଶାଖାର ସଂଯୋଜିକା ଈଶିକା ଦାସ, ନାରୀଶକ୍ତି ସଙ୍ଗଠନର ସଭାନେତ୍ରୀ ସରିତା ଦାଶ, ସମ୍ପୂର୍ଣ୍ଣାର ସମ୍ପାଦିକା ରଶ୍ମୀ ପାତ୍ର, ଆଦ୍ୟାଶକ୍ତି ନାରୀ ସଙ୍ଗଠନର ସଭାନେତ୍ରୀ କସ୍ତୁରୀ ରଥ ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ପ୍ରିୟମ୍ବଦା ହୋତା ଅତିଥି ବକ୍ତା ଭାବରେ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ । କବି ଚୁମକୀ ଦାଶ ନାରୀଶକ୍ତି ସମ୍ପର୍କିତ ପ୍ରାରମ୍ଭିକ ସଙ୍ଗୀତଗାନ ଏବଂ ରଚନାର ସଦସ୍ୟା ସସ୍ମିତା ନେପାକ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ରଚନାର ସଭାପତି ସନାତନ ଠାକୁର, ସମ୍ପାଦକ ଭାଗିରଥୀ ମିଶ୍ର ଓ ସଦସ୍ୟ ସଦସ୍ୟାଙ୍କ ସହିତ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.