
- ଜୀବନ ଓ ସାହିତ୍ୟ ପରସ୍ପର ଦ୍ୱାରା ପ୍ରଭାବିତ
ବଲାଙ୍ଗିର, (କେପିଏନ୍ଏସ୍) : ଜୀବନ ଏବଂ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ପରସ୍ପର ଦ୍ୱାରା ପ୍ରଭାବିତ । ମଣିଷର ବ୍ୟକ୍ତିଗତ ଓ ସାମାଜିକ ଜୀବନର ଭିତ୍ତି ସାହିତ୍ୟ ଦ୍ଵାରା ହିଁ ପ୍ରତିଷ୍ଠିତ ହୁଏ । ପ୍ରାଚୀନ କାଳରୁ ଜୀବନର ବହୁବିଧ ଉପାଦାନରେ ପରିପୁଷ୍ଟ ସାହିତ୍ୟ ପ୍ରକାରାନ୍ତରେ ଜୀବନକୁ ମଧ୍ୟ ପରିପୁଷ୍ଟ କରିଆସୁଛି । ଅନେକ ସାଧାରଣ ମଣିଷ ସାହିତ୍ୟ ଦ୍ଵାରା ପ୍ରଭାବିତ ହୋଇ ମହାପୁରୁଷରେ ପରିଣତ ହୋଇଛନ୍ତି ଓ ସମାଜକୁ ଦିଗଦର୍ଶନ ଦେଇଛନ୍ତି । ମୌଖିକ ଭାବରେ ଏକଦା ପ୍ରସାରିତ ସାହିତ୍ୟ ଏବେ ଲିଖିତ ଓ ଡିଜିଟାଲ ରୂପରେ ବହୁଜନାଦୃତ । ସମାଜ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ତରଫରୁ ଆୟୋଜିତ “ଜୀବନ ଉପରେ ସାହିତ୍ୟର ପ୍ରଭାବ” ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତପ୍ରକାଶ ପାଇଛି । ଏଥିରେ ଅତିଥି ବକ୍ତା ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଛାତ୍ର ମଧୁସୂଦନ ନେଗୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ସୋନାଲି ବିଶ୍ୱାଳ, ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ପ୍ରସନ୍ନ କୁମାର କର୍ଣ୍ଣ ଏବଂ ସୁନାମଧନ୍ୟା ଗାଳ୍ପିକା ଓ ଗୀତିକାର ଡ଼ାକ୍ତର ମଞ୍ଜୁବାଳା ପଣ୍ଡା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ଼. ପ୍ରେମଚାନ୍ଦ ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରି ନିଜସ୍ୱ ମତପ୍ରକାଶ କରିଥିଲେ । ‘ରଚନା’ର ସଦସ୍ୟ ଅଧ୍ୟାପକ ଡ଼. କୌତୁକ ପନ୍ଦର ସ୍ୱାଗତ ସମ୍ଭାଷଣ, ଅଧ୍ୟାପକ ଡ଼. ଜଗନ୍ନାଥ ସାହୁ ଆଲୋଚନାର ସଂଯୋଜନା ଏବଂ ସୁଶ୍ରୀ ସସ୍ମିତା ନେପାକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ‘ମାସିକ ରଚନା ସନ୍ଧ୍ୟା’ରେ ସ୍ଥାନୀୟ ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକ, ସାହିତ୍ୟିକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।