ବଲାଙ୍ଗିର, (କେପିଏନ୍ଏସ୍) : ଆଜିକାଲି ସକ୍ରୀୟ ରାଜନୀତିରେ ଆମ ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କର ଅନାଗ୍ରହ ଯୋଗୁଁ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ବଂଶାନୁକ୍ରମିକ ଭାବରେ ରାଜନୀତିକୁ ଏକ ଲାଭଦାୟକ ବେଉସା ଭାବରେ ଗ୍ରହଣ କରିନେଇଛନ୍ତି । ତେଣୁ ରାଜନୀତିରେ ଆଉ ନୀତି ନାହିଁ, ଆଦର୍ଶ ନାହିଁ, ଦେଶପ୍ରେମ ନାହିଁ, ସେବା ମନୋଭାବ ନାହିଁ । ରାଜନେତାମାନେ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ତାଙ୍କ ପାଇଁ ନୀତି ଓ ଆଦର୍ଶ ଖାଲି ଲୋକଦେଖାଣିଆ । ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ବିଚାରଧାରା ନେଇ ଆମ ଦେଶକୁ ସ୍ୱାଧୀନ ଓ ସମ୍ବିଧାନକୁ ପ୍ରସ୍ତୁତ କରିଥିଲେ, ସେହି ଲକ୍ଷ୍ୟ ଓ ଉଦ୍ଦେଶ୍ୟଠାରୁ ଏବେ ଆମେ ବହୁତ ଦୂରରେ । ବର୍ତ୍ତମାନର ଏଭଳି ପରିବେଶ ଓ ପରିସ୍ଥିତିରେ ପରିବର୍ତ୍ତନ ପାଇଁ ଆମ ବୁଦ୍ଧିଜୀବୀ ଓ ଯୁବପିଢି ସକ୍ରୀୟ ଭାବରେ ରାଜନୀତିକୁ ଆସିବାର ଆବଶ୍ୟକତା ରହିଛି । ସମାଜ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ର ‘ମାସିକ ରଚନା ସନ୍ଧ୍ୟା’ରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଆୟୋଜିତ “ଆମ ରାଜନୀତି : କେତେ ନୀତି, କେତେ ଅନୀତି” ଶୀର୍ଷକ ଆଲୋଚନାଚକ୍ରରେ ପି.ଏସ. ଡିଗ୍ରୀ କଲେଜ, ଦେଓଗାଁର ଅଧ୍ୟାପକ ଡ. ସୁରେଶ ପ୍ରସାଦ ଷଡ଼ଙ୍ଗୀ, ବିଶ୍ୱାତ୍ମା ବିଦ୍ୟାମନ୍ଦିରର ଶିକ୍ଷିକା ସ୍ପର୍ଶା ମିଶ୍ର, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ ଛାତ୍ର ସିଦ୍ଧାନ୍ତ ମହାକୁର ଓ ଛାତ୍ରୀ ପ୍ରତ୍ୟାଶା ମାହାଣା ଅତିଥିବକ୍ତା ଭାବରେ ଯୋଗଦେଇ ବିଶ୍ଳେଷଣାତ୍ମକ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ‘ରଚନା’ର ସଦସ୍ୟା ସସ୍ମିତା ନେପାକ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ଆଇନଜୀବୀ, ଶିକ୍ଷକ, ଅଧ୍ୟାପକ, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।