ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ୟ୍ୟରତ ‘ରଚନା’ ଅନୁଷ୍ଠାନ ପ୍ରତି ବର୍ଷ ‘ରଚନା’ର ପ୍ରତିଷ୍ଠାତା ସଦସ୍ୟ, ଶାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ସ୍ମୃତିରେ ତାଙ୍କ ଜନ୍ମଦିନ ଅକ୍ଟୋବର ୪ ତାରିଖରେ ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ ଆୟୋଜନ କରିଆସୁଛି । ଏଥିରେ ଓଡ଼ିଆ ସାହିତ୍ୟର ଜଣେ ଲେଖକଙ୍କୁ ରାଜ୍ୟସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର” ସ୍ବରୂପ ଉତ୍ତରୀୟ ଓ ସମ୍ମାନଫଳକ ସହିତ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଏହି ପୁରସ୍କାର ପାଇଁ ବିଶିଷ୍ଟ ସାହିତ୍ୟିକା ଚିରଶ୍ରୀ ଇନ୍ଦ୍ରସିଂ ମନୋନୀତ ହୋଇଛନ୍ତି । ଏଯାଏଁ ତାଙ୍କର ଚଉଦଟି ଗଳ୍ପ ପୁସ୍ତକ ଓ ଉପନ୍ୟାସିକା, ତିନୋଟି କବିତା ସଂକଳନ ଓ ଦୁଇଟି ଅନୂଦିତ ପୁସ୍ତକ ପ୍ରକାଶ ପାଇ ପାଠକ ମହଲରେ ବହୁଳ ଭାବରେ ଆଦୃତି ଲାଭ କରିଛି । ଏଥର ଅତିଥି ବକ୍ତା ଭାବରେ ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକା ଡ. ସରୋଜିନୀ ସାହୁ “ରେବତୀ, ଧୋବୀ ଓ ଗମ୍ଭିରୀ ଘରର ନାୟିକାମାନେ” ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବୋଲି ‘ରଚନା’ର ସଭାପତି ସନାତନ ଠାକୁର ଜଣାଇଛନ୍ତି ।

Leave A Reply

Your email address will not be published.