om academy

ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଧାନ ବିକ୍ରି ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ସମୀକ୍ଷ ବୈଠକ ଡାକନ୍ତୁ : ପ୍ରଦୀପ ପୁରୋହିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ତି ବ୍ୟବସ୍ଥା ଚାଲୁ ହୋଇଥିବା ବେଳେ ଧାନ କିଣା ବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଅନ୍ୟ ଉପାୟ ନ ପାଇ ଖୋଲା ବଜାରରେ ଏବେ ୧ ହଜାର ଟଙ୍କାରେ ଚାଷୀ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ । ପାଖପାଖି ୧୦ରୁ ୨୦ ଭାଗ ଚାଷୀଙ୍କ ଟୋକନ ଲେପ୍ସ ହୋଇ ସାରିଲାଣି । ମିଲର୍ସ ମାନଙ୍କ ଉପରେ ରାଜ୍ୟ ସରକାର ନିୟନ୍ତ୍ରଣ କରୁ ନଥିବାରୁ ମିଲର୍ସ ମାନେ ନିଜ ମର୍ଜି ମୁତାବକ ମଣ୍ତିରୁ ଧାନ ଉଠାଉଛନ୍ତି ଓ ପ୍ରତି କ୍ୱିଣ୍ଟାଲରେ ୫ କେଜିରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି ବୋଲି ଶ୍ରୀ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତା ଦେଖାଦେଉଛି । ଡିପ୍‌ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କ୍ୱିଣ୍ଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ୮୦ ଭାଗ ଡିପ୍‌ ବୋରୱେଲ ଚାଷୀ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କ୍ୱିଣ୍ଟାଲ, ୨ କ୍ୱିଣ୍ଟାଲ, ୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଚିଠି ଆସିଥିବାରୁ ଚାଷୀ ମାନେ ହତାଶ ହୋଇ ପଡିଛନ୍ତି । ବରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୁଆପଡା ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି । ଚାଷୀଙ୍କୁ କାଳିଆ ଯୋଜନାର ୨ ହଜାର ଟଙ୍କା ପ୍ରଦାନ କରି ଆପଣ ମାନେ ଖୁସି ତ କହି ଚାଷୀଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ “ଏପ୍ରିଲ ଫୁଲ” କରି ଦେଲେ ବୋଲି ଶ୍ରୀ ପୁରୋହିତ କ୍ଷୋଭ ପ୍ରକାଶ କରିଛନ୍ତି । ୟାସ୍‌ ବ୍ୟତ୍ୟା ଟଳିଯିବା ପରେ ଏବେ ରାଜ୍ୟରେ ଚାଷୀ ମାନଙ୍କ ଧାନ ବିକ୍ରି ମୁଖ୍ୟ ସମସ୍ୟା ହୋଇ ରାଜ୍ୟରେ ଠିଆ ହୋଇଛି । ଯଦି ପ୍ରକୃତରେ ଚାଷୀଙ୍କ ପ୍ରତି ଓଡିଶା ସରକାରଙ୍କ ଦରଜ ଅଛି ତେବେ ତୁରନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରନ୍ତୁ ଓ ଏବେ ଯେଉଁ କୋଟି କୋଟି ଟଙ୍କା ଚାଷୀ ମାନେ ଶୋଷଣର ଶୀକାର ହେବେ ଚାଷୀଙ୍କୁ ଏଥିରୁ ସୁରକ୍ଷା ଦେବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ପ୍ରଦୀପ ପୁରୋହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.