କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ୟ୍ୟ ଜୀବନୀ ଅ।ଧାରିତ ‘ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ’ ଓ ‘ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ’ ପୁସ୍ତକ ଲୋକାର୍ପିତ

ବ୍ରହ୍ମପୁର : ସୁନାମଧନ୍ୟ ସାହିତ୍ୟିକ, ଗବେଷକ, କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ୟ୍ୟ ବଳବେଦ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ “ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ’ ପ୍ରଥମାର୍ଦ୍ଧ ଓ “ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ’ ଶେଷାର୍ଦ୍ଧ ଦୁଇଟି ପୁସ୍ତକ ସରସ୍ୱତୀ ପୂଜା ଓ କବିସୂର୍ୟ୍ୟ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକ ଦୁଇଟି ଓଡ଼ିଶା ସାହିତ୍ୟ ବିଭବ ପାଇଁ ଅମୂଲ୍ୟ ଉପହାର ଏବଂ ଆଗାମୀ ଦିନରେ କବିସୂର୍ୟ୍ୟ ନାଟକ କଳା ସାହିତ୍ୟ ସଂସ୍କୃତି ବିକାଶରେ ଓଡ଼ିଶା ନାଟକ ମଞ୍ଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ଆୟୋଜିତ ଉତ୍ସବର ଅତିଥିମାନେ ପ୍ରକାଶ କରିଥିଲେ । ହାରା ଫାଉଣ୍ଡେସନ ପକ୍ଷରୁ କବିସୂର୍ୟ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଫେସର ଡ଼ା. ପିସି ସାହୁ, ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ମେଜର ରମାରମଣ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ଲୋକ ସେବକ ମଣ୍ଡଳର ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ନାଟ୍ୟକାର ସୁବୋଧ ପଟ୍ଟନାୟକ, ନାଟ୍ୟକାର ରାଜୁ ପାଢ଼ୀ ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ରହି କବି ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ତ୍ରିପାଠୀ କବିସୂର୍ୟ୍ୟ ବଳଦେବ ରଥଙ୍କ ସାହିତ୍ୟ ଆଜି ଅବିସ୍ମରଣୀୟ ହୋଇ ରହିଛି ବୋଲି କହିଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ ସୁଲେଖିକା ଅମିତା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ । ପୁସ୍ତକ ଦ୍ୱୟର ପ୍ରକାଶକ ତ୍ରିପାଠୀଙ୍କ ଦୁଇ ପୁତ୍ର ଇଂ. ମାନସ ରଞ୍ଜନ ତ୍ରିପାଠୀ ଓ ଡ଼ା. ସାଗର ରଞ୍ଜନ ତ୍ରିପାଠୀଙ୍କ ଉଦ୍ୟମକୁ ବକ୍ତାମାନେ ପ୍ରଶଂସା କରିଥିଲେ । ହାରା ଫାଉଣ୍ଡେସନର ସମ୍ପାଦକ ଇଂ. ମାନସ ରଞ୍ଜନ ତ୍ରିପାଠୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଓଡ଼ିଶୀ ସଂଗୀତ ଗୁରୁ ସନ୍ତୋଷ କୁମାର ବେହେରା ଏବଂ ଶିଷ୍ୟମାନେ କବିସୂର୍ୟ୍ୟ ବଳଦେବ ରଥଙ୍କ ରଚିତ ଚମ୍ପୁ, ଜଣାଣ ପରିବେଷଣ କରିଥିଲେ । ଏହି ଅବସରରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପୁସ୍ତକ “ନୀଳାମ୍ବୁ ଚିଲିକା’ ମଧ୍ୟ ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢେ଼øକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.