oom

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣକୁ ନେଇ ସଂକଳିତ ପୁସ୍ତକକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ

jsmm

● ହିନ୍ଦୀ ଓ ଇଂରାଜୀରେ ପ୍ରକାଶିତ ଏହି ପୁସ୍ତକରେ ସ୍ଥାନ ପାଇଛି ରାଷ୍ଟ୍ରପତିଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ୫୧ଟି ବଛା ବଛା ଅଭିଭାଷଣ
● ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ (ଭାଗ-୨)’ ବିକଶିତ ଭାରତ ନିର୍ମାଣ ଲାଗି ଆଲୋକବର୍ତ୍ତିକା ସାଜିବ: ରାଜନାଥ ସିଂ
● ‘‘ରାଷ୍ଟ୍ରପତି ମୁର୍ମୁ ଭାରତରେ ମହିଳା ନେତୃତ୍ୱାଧୀନ ବିକାଶର ସର୍ବୋତ୍ତମ ଉଦାହରଣ’’
● ଏହି ପୁସ୍ତକ ଭବିଷ୍ୟତ ପିଢ଼ି ପାଇଁ ରାଷ୍ଟ୍ରପତିଙ୍କ ଜନକଲ୍ୟାଣ ବିଚାର ସମ୍ପର୍କରେ ଲୋକମାନଙ୍କୁ ପରିଚିତ କରାଇବ: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି, ୨୩ ଜୁନ୍ ୨୦୨୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବଛା ବଛା ୫୧ଟି ଅଭିଭାଷଣକୁ ନେଇ ସଂକଳିତ ପୁସ୍ତକ ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ (ଭାଗ-୨) ଏବଂ ଏହାର ହିନ୍ଦୀ ସଂସ୍କରଣ (ଆଶାଓଁ କୀ ଉଡ଼ାନ୍) ସହିତ ଏକ ଇ-ସଂସ୍କରଣକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏହି ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଉପସ୍ଥିତ ଥିଲେ । ଏହି ପୁସ୍ତକ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ବର୍ଷର କାର୍ଯ୍ୟକାଳ (ଅଗଷ୍ଟ ୨୦୨୩-ଜୁଲାଇ ୨୦୨୪) ମଧ୍ୟରେ ତାଙ୍କର ଦୂରଦୃଷ୍ଟି, ଦର୍ଶନ ଏବଂ ପ୍ରାଥମିକତା ବିଷୟରେ ପାଠକମାନଙ୍କର ଜ୍ଞାନବର୍ଦ୍ଧନ କରିବ । ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି, ପୁସ୍ତକ ସଂକଳନରେ ରାଷ୍ଟ୍ରପତିଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ସଂକଳିତ ହୋଇଛି । ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସରକାରଙ୍କ ସଂକଳ୍ପର ସାରାଂଶ ଏଥିରେ ନିହିତ ରହିଛି । ରାଷ୍ଟ୍ରପତିଙ୍କର ଜାତି ଉଦ୍ଦେଶ୍ୟରେ ଉଦବୋଧନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ସମ୍ବୋଧିତ କରିବା, ନବସୃଜନ, ଦେଶର ବିକାଶରେ ମହିଳାମାନଙ୍କର ଯୋଗଦାନ, ସମାନତା ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ତାଙ୍କର ଭାଷଣଗୁଡ଼ିକ ପୁସ୍ତକରେ ସ୍ଥାନ ପାଇଛି । ଏହି ପୁସ୍ତକ ଆମର ଗୌରବମୟ ଐତିହ୍ୟକୁ ସଂରକ୍ଷିତ ରଖିବା ସହିତ ପ୍ରଗତିଶୀଳ ଚିନ୍ତାଧାରା ସହିତ ବିକଶିତ ଭାରତ ନିର୍ମାଣ ପାଇଁ ଏକ ଆଲୋକବର୍ତ୍ତିକା ସାଜିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ଦେଶରେ ବିବିଧତାର ଗୁରୁତ୍ୱ ଜାଣନ୍ତି ଏବଂ ବଞ୍ଚିତଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରିଛନ୍ତି । ଏହି ପୁସ୍ତକ ସମାନତାର ଭାବନାକୁ ପ୍ରତିପାଦିତ କରୁଛି ବୋଲି ସେ କହିଥିଲେ । ରାଜନାଥ ସିଂ ଆହୁରି କହିଛନ୍ତି, ଏହି ପୁସ୍ତକରେ ସଭ୍ୟତା ଠାରୁ ଆରମ୍ଭ କରି ସଂସ୍କୃତି ପର୍ଯ୍ୟନ୍ତ, ଧର୍ମ ଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ, କଳାଠାରୁ ଆରମ୍ଭ କରି ସାହିତ୍ୟ ପର୍ୟ୍ୟନ୍ତ, ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଏବଂ ଅତୀତଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜ୍ଞାନ ଓ ବିଚାରର ମିଶ୍ରଣ ଏହି ପୁସ୍ତକରେ ରହିଛି । ଏହି ସମାବେଶୀତା ଭାରତର ପ୍ରକୃତ ଚରିତ୍ରକୁ ପ୍ରତିଫଳନ କରୁଛି ଯାହାକି ଭବିଷ୍ୟତ ପିଢ଼ି ପାଇଁ ଲାଭଦାୟକ ହୋଇପାରିବ । ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରପତିଙ୍କ କେତେକ ବିଚାର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଜାତୀୟ ପ୍ରାଥମିକତା ଭାବେ ଅଭିହିତ କରିଥିଲେ । ଏଥିରେ, ବିକାଶ ଏବଂ ଐତିହ୍ୟ ଆମ ସଂସ୍କୃତି ଓ ସଭ୍ୟତର ପରିଚୟ ଏବଂ ବ୍ୟକ୍ତିଗତ ଓ ସାର୍ବଜନୀନ ଜୀବନରେ ନୈତିକତା ସ୍ଥାନ ପାଇଛି । ସେହିପରି ସମସ୍ତେ ବିଶେଷ କରି ପ୍ରଶାସନିକ ଅଧିକାରୀ ଓ ସେବକମାନେ ନିଃସ୍ୱାର୍ଥପର ସେବା ଓ ଦାତବ୍ୟଭାବନା ପୋଷଣ କରିବା ବିଷୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପୁସ୍ତକରେ ସ୍ଥାନ ଦିଆଯାଇଛି । ନ୍ୟାୟ ପ୍ରଣାଳୀ ଓ ପ୍ରଶାସନ ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ .ହେବା, ବିକାଶର ସବୁ ଦିଗରେ ନବୋନ୍ମେଷକୁ ପ୍ରୋତ୍ସାହନ, ଆଧୁନିକ ବିଶ୍ୱ ବ୍ୟବସ୍ଥାର ସୁଧାର କ୍ଷେତ୍ରରେ ବସୁଧୈବ କୁଟୁମ୍ବକମ ଭାବନା ସହିତ ଭାରତର ଅଗ୍ରଣୀ ଭୂମିକା ବିଷୟରେ ରାଷ୍ଟ୍ରପତିଙ୍କ ବିଚାର ମଧ୍ୟ ଏଥିରେ ସ୍ଥାନିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତରେ ମହିଳା ନେତୃତ୍ୱାଧୀନ ବିକାଶର ସର୍ବୋତ୍ତମ ଉଦାହରଣ ବୋଲି ଶ୍ରୀ ସିଂହ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡରଙ୍କ ନେତୃତ୍ୱରେ ଭାରତୀୟ ସୈନିକମାନେ ଐତିହାସିକ ଅପରେସନ ସିନ୍ଦୁର ଜରିଆରେ ସମସ୍ତ ଲକ୍ଷ୍ୟ ହାସଲ କରିବା ସହିତ ଆତଙ୍କବାଦୀଙ୍କ ମନରେ ଭୟ ସୃଷ୍ଟି କରିଥିଲେ । ସଶସ୍ତ୍ର ବାହିନୀଙ୍କୁ ନିରନ୍ତର ପ୍ରୋତ୍ସାହିତ କରିବା ସହିତ ସମାଜର ବଞ୍ଚିତ ବର୍ଗର ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରିଥିବାରୁ ସେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ନିଜ ଜୀବନ ମାଧ୍ୟମରେ ରାଷ୍ଟ୍ରପତି ମୁର୍ମୁ ସମସ୍ତଙ୍କ ପାଇଁ ଶିକ୍ଷା ଓ ସମାନ ଅଧିକାର ଏବଂ ସୁଯୋଗ ପାଇବା ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି । ସାହସ, କଠିନ ପରିଶ୍ରମ, ଜନସେବା ଏବଂ ଆଧ୍ୟାତ୍ମିକତାର ଆଦର୍ଶ ତାଙ୍କ ଜୀବନରେ ଦୃଶ୍ୟମାନ ହୋଇଛି ଏବଂ ଏହା ତାଙ୍କ ଭାଷଣରେ ମଧ୍ୟ ପଢ଼ି ହେବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ (ଭାଗ-୨)’ କୁ ଦେଶର ‘ପ୍ରଥମ ନାଗରିକ’ ଦୃଷ୍ଟିକୋଣରୁ ସମସାମୟିକ ପ୍ରସଙ୍ଗଗୁଡ଼ିକୁ ବୁଝିବା ପାଇଁ ଏକ ମାଧ୍ୟମ ବୋଲି ବର୍ଣ୍ଣନା କରିଥିଲେ । ଏହା ଭବିଷ୍ୟତ ପିଢ଼ି ପାଇଁ ରାଷ୍ଟ୍ରପତିଙ୍କ ଜନକଲ୍ୟାଣ ବିଚାରକୁ ପରିଚିତ କରାଇବ ବୋଲି ଆଶା କରିଥିଲେ । ଅଶ୍ୱିନୀ ବୈଷ୍ଣବ ରାଷ୍ଟ୍ରପତିଙ୍କ ଜୀବନର କିଛି ପ୍ରେରଣାଦାୟୀ ମୁହୂର୍ତ୍ତ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଦ୍ରୌପଦୀ ମୁର୍ମୁ ତାଙ୍କର ଜନ୍ମଦିନ ଜୁନ ୨୦ ତାରିଖରେ ଡେରାଡୁନସ୍ଥିତ ଜାତୀୟ ଦୃଷ୍ଟି ବାଧିତ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ । ସେଠାରେ ସେ ଦୃଷ୍ଟିହୀନ ପିଲାମାନଙ୍କର କଳା ପ୍ରଦର୍ଶନ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ରାଷ୍ଟ୍ରପତିଙ୍କର ସରଳତା, ସମ୍ବେଦନଶୀଳତା ଏବଂ ଲୋକଙ୍କ ପ୍ରତି ସେବାର ଭାବନା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ଶ୍ରୀ ବୈଷ୍ଣବ କହିଥିଲେ ।
ରାଷ୍ଟ୍ରପତି ଭବନ ଦ୍ୱାରା ସଂକଳିତ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ଦ୍ୱିତୀୟ ଭାଗରେ ଶାସନ, ସମାବେଶୀତା ଏବଂ ଜାତୀୟ ଆକାଂକ୍ଷା ଉପରେ ପରିବର୍ତ୍ତିତ ବିତର୍କକୁ ସ୍ଥାନ ଦିଆଯିବା ସହ ଏହାର ପୂର୍ବବର୍ତ୍ତୀକୁ ସଂସ୍କରଣକୁ ଅନୁସରଣ କରାଯାଇଛି । ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଭାତ ଏବଂ ପ୍ରକାଶନ ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କୈନ୍ଥୋଲାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.