ommm
jittmm

ଗବେଷଣାତ୍ମକ ପୁସ୍ତକ ‘ଉଜାଣି ଝଞ୍ଜାବତୀ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ରବିବାର ସନ୍ଧ୍ୟାରେ ଗବେଷକ ନିଗମାନନ୍ଦ ଷଡ଼ଙ୍ଗୀଙ୍କ ରଚିତ ‘ଉଜାଣି ଝଞ୍ଜାବତୀ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଶାସକ ନୀଳମଣି ମିଶ୍ର, ମୁଖ୍ୟବକ୍ତା ଭାବେ କବି ସରୋଜ, ଲେଖକ ନିଗମାନନ୍ଦ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ରବିଶଙ୍କର ପ୍ରଧାନ ସଂଯୋଜନା କରିଥିଲେ । ଭୁବନେଶ୍ୱର ସ୍ଥିତ ମାନବ ବିଜ୍ଞାନ କେନ୍ଦ୍ର ଓ ସମ୍ବଲପୁରର ଅନ୍ୱେଷା ପ୍ରକାଶନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ-ନାରାୟଣପାଟଣା ଅଞ୍ଚଳର ମଦମୁକ୍ତି, ଜମି ମୁକ୍ତି ଓ ଗୋତି ମୁକ୍ତି ଆନ୍ଦୋଳନର ପୃଷ୍ଠଭୂମି ରହିଛି । ସେଠାକାର ବିଭିନ୍ନ ବର୍ଗର ଅଧିବାସୀଙ୍କ ଜୀବନ ଓ ସଂଘର୍ଷକୁ ଲୋକଙ୍କ ଭାଷାରେ ଲେଖକ ବହୁ ପରିଶ୍ରମ କରି ଲେଖିଥିବାରୁ ଏହା ପାଠକ ଓ ଗବେଣଷାରତ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ହେବ ବୋଲି ମୁଖ୍ୟବକ୍ତା ସରୋଜ କହିଥିଲେ । ଲେଖକ ନିଗମାନନ୍ଦ ପୁସ୍ତକ ରଚନା ସମ୍ପର୍କରେ ତାଙ୍କର ଅନୁଭୂତି କହିଥିଲେ । ସଭାପତୀୟ ଅଭିଭାଷଣରେ ମିଶ୍ର ନାରାୟଣପାଟଣାରେ ୪୫ ବର୍ଷ ତଳେ ବିଡିଓ ଭାବେ କାର୍ଯ୍ୟ କଲାବେଳର ଅନୁଭୂତି ବର୍ଣ୍ଣନା କରିଥିଲେ । ସଭାରେ ଅତିଥିମାନଙ୍କୁ ‘ରଚନା’ ସଭାପତି ସନାତନ ଠାକୁର, କବି ଭାଗିରଥି ମିଶ୍ର, ବରିଷ୍ଠ ଓକିଲ ଭବାନୀ ଶଙ୍କର ଶତପଥି ଓ ଚାଷୀନେତା ଅରୁଣ ମିଶ୍ର ଉପାୟନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡ. ଅରୁଣ ନାଏକ, କେଶବ ମିଶ୍ର, ମୀନକେତନ ମାଝି ଓ ଚନ୍ଦନ ନାଗ ମତାମତ ରଖିଥିଲେ । ସଭାରେ ବଲାଙ୍ଗିର ଜିଲା ଘୁମେର ଜମି ଦୁର୍ନୀତି ସମ୍ପର୍କରେ ଚାଷୀନେତା ଅରୁଣ ମିଶ୍ର ମତାମତ ଉପସ୍ଥାପନ କରିଥିଲେ । ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରେନ୍ଦ୍ର ଝାଙ୍କର ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସଭାରେ ବହୁ ଲେଖକ, କବି, ସାହିତ୍ୟିକ ଓ ଶ୍ରୋତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.