କବିତା ପୁସ୍ତକ “ମେଞ୍ଚାଏ ପୁଷ୍ପ” ଲୋକାର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚ ଆନୁକୁଲ୍ୟରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କବୟିତ୍ରୀ ସରସ୍ୱତୀ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ “ମେଞ୍ଚାଏ ପୁଷ୍ପ” ଉନ୍ମୋଚିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଡଃ. ଗୋପବନ୍ଧୁ ରଥ ତଥା ମୁଖ୍ୟବକ୍ତା ଭାବରେ ଗାୟତ୍ରି ସରାଫ ମଂଚାସୀନ ଥିଲେ । ଧିରେନ୍ଦ୍ର ନାରାୟଣ ସିଂଦେଓ ମଂଚ ପରିଚାଳନା କରିଥିଲେ । ପ୍ରଥମେ ଅତିଥି ଗଣ ବାଗଦେବୀ ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ମଂଚାସୀନ ଅତିଥି ଗଣଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଅଭିଭାବକ ମଂଚ ସଭାପତି ଧର୍ମବ୍ରତ ରଥ ସଂଗଠନ ତଥା ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଲେଖିକା ସରସ୍ୱତୀ ମିଶ୍ର ଲେଖକୀୟ ଅନୁଭୂତି ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଡଃ. ଗୋପବନ୍ଧୁ ରଥ ଏବଂ ମୁଖ୍ୟବକ୍ତା ଗାୟତ୍ରୀ ସରାଫ କବିତା ଲିଖନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେବା ସହ କବିତା ପୁସ୍ତକ “ମେଞ୍ଚାଏ ପୁଷ୍ପ” ର ବିଭିନ୍ନ କବିତା ଗୁଡିକ ଉପରେ ନିଜସ୍ୱ ମତ ପ୍ରଦାନ କରିଥିଲେ । ଉପ ସଭାପତି ତଥା ଲେଖକ ପ୍ରଶନ୍ନ କୁମାର ମିଶ୍ର ପୁସ୍ତକଟିର ସମୀକ୍ଷା କରିଥିଲେ । ସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବିଭିନ୍ନ ଉଦାହରଣ ଛଳରେ ଲେଖକର କଲମ ମୂନ ହିଁ ଏକ ଶକ୍ତିଶାଳି ସମାଜ ଗଠନରେ ସହାୟକ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ । ସୁଧାଂଶୁ ଶେଖର ଦର୍ଜୀ, ତରୁଣ କୁମାର ମିଶ୍ର, ଡଃ.ପ୍ରେମଚାନ୍ଦ ମହାନ୍ତି, ଚୁଡେନ୍ଦ୍ର ବେହେରା, ସରୋଜ କୁମାର କର, କୃଷ୍ଣଚନ୍ଦ୍ର ମହାକୁର, ନିହାରିକା ମିଶ୍ର, ସକାନ୍ତି ମଂଜରୀ ପାଣି, ମାଳତି ଉଦ୍‌ଗାତା, ଛବିଲାଲ ବେହେରା, ପୁରୁଷୋତ୍ତମ ପଣ୍ଡା, ହରେକୃଷ୍ଣ ପଟେଲ, ହୃଷିକେଶ ପୁରୋହିତ, ପୂର୍ଣ୍ଣଚନ୍ଦ୍ର ଦାଶ, ମଦନ ମୋହନ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ଲେଖିକା ପୁଷ୍ପାଞ୍ଜଳି ମେହେରଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବି ଦିବାକର ହୋତା, କବୟିତ୍ରୀ ରଶ୍ମି ପାତ୍ର, ଆନନ୍ଦିନୀ ଗୁରୁ, ସସ୍ମିତା ସାହୁ, ପ୍ରଭାସିନୀ ଭୋଇ, ସୁଷମା ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ । ସାଧାରଣ ସଂପାଦକ ଗୋବିନ୍ଦ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.