କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଦିବାସୀ ସାଧ୍ୱୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଗୋଡ, ହାତ ଫୁଲିବା ସହ ରକ୍ତହୀନତା ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ରଖି ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଡାକ୍ତର କହିଛନ୍ତି । ସୂଚନାଯୋଗ୍ୟ, ରବିବାର ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଥିଲା । ପୂର୍ଣ୍ଣମାସୀଙ୍କ ବୟସ ଏବେ ୮୨ ବର୍ଷ । ଜଣେ ଆଦିବାସୀ ସନ୍ଥ ଏବଂ ଆଶୁକବି ଭାବେ ଜଣାଶୁଣା ପୂର୍ଣ୍ଣମାସୀଙ୍କୁ ୨୦୨୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଡିସରୁ ବାଇ ହିସାବରେ ପରିଚିତ ପୂର୍ଣ୍ଣମାସୀଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସଂଖ୍ୟାରେ ଅନୁଗାମୀ ରହିଛନ୍ତି । ଜିଲ୍ଲାବାସୀ ତାଙ୍କ ସ୍ୱାସ୍ଥ୍ୟ ନେଇ ଉଦବେଗ ପ୍ରକାଶ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି ।