oom

ଡୁମ୍ବେରବାହାଲ ସ୍କୁଲକୁ ଏକକାଳୀନ ତିନୋଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଏକକାଳୀନ ତିନୋଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ଅସାଧାରଣ ସାଧନା, ଦୃଢ଼ ନିଷ୍ଠା, ଏକାଗ୍ରତା, ସମୟୋପଚିତ ନିଷ୍ପତ୍ତି ତଥା ଶିକ୍ଷାର ଅଗ୍ରଗତିରେ ନିରବଚ୍ଛିନ୍ନ ଅବଦାନ ପାଇଁ ତାଙ୍କୁ ବରଗଡ଼ ଜିଲ୍ଲାର ଏକମାତ୍ର ଶ୍ରେଷ୍ଠ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହି ବିଦ୍ୟାଳୟକୁ ଜିଲ୍ଲାର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ଓ ଏହି ବିଦ୍ୟାଳୟର ଆଲୁମିନି କମିଟିକୁ ସର୍ବଶ୍ରେଷ୍ଠ ଆଲୁମିନି କମିଟି ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଗତ ଜାନୁଆରୀ ୩୧ ତାରିଖ ଦିନ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଏହି ତିନୋଟି ଯାକ ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଅଶ୍ୱିନୀ ଏସ୍. ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ଵରରୁ ଏହି ପୁରସ୍କାର ଘେନି ଆସିବା ପରେ ଆଜି ଡୁମ୍ବେରବାହାଲ ଗ୍ରାମରେ ମଧ୍ୟ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗ୍ରାମବାସୀ ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଓ ସ୍କୁଲ ପରିଚାଳନା କମିଟି ସଭାପତି ବନବାସ ସାହୁଙ୍କୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

jittmm
Leave A Reply

Your email address will not be published.