ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

● ୩ ଲକ୍ଷରୁ କମ୍ ଜନସଂଖ୍ୟା ଥିବା ସହର ବର୍ଗରେ ତୃତୀୟ ପୁରସ୍କାର ପାଇଲା ଅନୁଗୁଳ; ମିଳିଲା ୧୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି
● ସେପ୍ଟେମ୍ବର ୧୭ରୁ ୨ ଅକ୍ଟୋବର ମଧ୍ୟରେ ଆୟୋଜିତ ହେବ ସେବା ପର୍ବ; ଦେଶବ୍ୟାପୀ ୭୫ କୋଟି ବୃକ୍ଷରୋପଣ ପାଇଁ ଲକ୍ଷ୍ୟ : କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ସମାରୋହ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସହରଗୁଡ଼ିକୁ ପୁରସ୍କୃତ କରିଛନ୍ତି । ୩ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଓଡ଼ିଶାର ଅନୁଗୁଳ ମଧ୍ୟ ପୁରସ୍କୃତ ହୋଇଛି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ୧୩୦ଟି ସହରରେ ଏହି ସର୍ବେକ୍ଷଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୦ରେ ଦେଶର ୧୦୦ଟି ସହରକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ଆହ୍ୱାନ ଦେଇଥିଲେ । ଏହାପରେ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୫ରେ ୧୩ଟି ସହର ଭାଗ ନେଇଥିଲେ । ଅତ୍ୟନ୍ତ କଠୋର ଏବଂ ବହୁସ୍ତରୀୟ ମୂଲ୍ୟାଙ୍କନ ବ୍ୟବସ୍ଥା ପରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ଚୟନ କରାଯାଇଛି । ମୋଟ୍ ତିନୋଟି ବର୍ଗରେ ସହରଗୁଡ଼ିକୁ ଚୟନ କରାଯାଇଛି । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଇନ୍ଦୋର ୨୦୦ରୁ ସମ୍ପୂର୍ଣ୍ଣ ୨୦୦ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏହି ବର୍ଗରେ ଜବଲପୁର ଦ୍ୱିତୀୟ ଏବଂ ଆଗ୍ରା ଓ ସୁରତ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ସବୁ ସହରକୁ ଯଥାକ୍ରମେ ଦେଢ଼ କୋଟି, ୧କୋଟି ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ୩ରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଅମରାବତୀ ପ୍ରଥମ, ଝାନସୀ ଓ ମୋରାଦାବାଦ ମିଳିତ ଭାବେ ଦ୍ୱିତୀୟ ଏବଂ ଅଲୱର ତୃତୀୟ ସ୍ଥାନ ହାସଲ କରିଛି । ପ୍ରଥମ ସ୍ଥାନରେ ଥିବା ସହରକୁ ୭୫ ଲକ୍ଷ ଏବଂ ଅନ୍ୟ ସହରଗୁଡ଼ିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି । ତୃତୀୟ ଅର୍ଥାତ୍ ୩ ଲକ୍ଷରୁ କମ ଜନସଂଖ୍ୟା ବର୍ଗରେ ଦେବସ, ପରୱାନୁକୁ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ମିଳିଥିବା ବେଳେ ଓଡ଼ିଶାର ଅନୁଗୁଳ ତୃତୀୟ ସ୍ଥାନ ହାସଲ କରିଛି । ଅନୁଗୁଳ ମୋଟ୍ ୨୦୦ ଅଙ୍କରୁ ୧୯୧ ଅଙ୍କ ଅର୍ଜନ କରିଛି । ଏହି ସହରକୁ ୧୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ଯୋଗାଇ ଦିଆଯାଇଛି । ସଡ଼କ ଭିତ୍ତିଭୂମି ଏବଂ ଜନ ସଚେତନତା କ୍ଷେତ୍ରରେ ଅନୁଗୁଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ସହରଗୁଡ଼ିକର ମେୟର, ଜିଲ୍ଲାପାଳ ଏବଂ ମହାନଗର କମିଶନରମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୁରସ୍କାର ପାଇଥିବା ସହରଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ଶୁଭକାମନା ଜଣାଇଛନ୍ତି । ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ, ସରକାର ୧୩୦ଟି ସହରକୁ ୨୦,୧୩୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ବାୟୁ ପ୍ରଦୂଷଣ ହ୍ରାସ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ୧୩୦ଟି ସହରକୁ ବାୟୁ ଗୁଣବତ୍ତା ପ୍ରଦର୍ଶନ ସମ୍ପର୍କିତ ୧୩,୨୩୭ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାର ସମନ୍ୱୟ ଜରିଆରେ ବାୟୁ ପ୍ରଦୂଷଣ ହ୍ରାସ ଦିଗରେ ପଦକ୍ଷେପ ନିଆଯାଉଛି । ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ଦୀର୍ଘସ୍ଥାୟୀ ଓ ସବୁଜ ଭିତ୍ତିଭୂମି ବିକାଶ କରିବା ଲାଗି ସରକାର ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ମାଧ୍ୟମରେ ୭୩,୩୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନଗୁଡ଼ିକ ମଧ୍ୟ ୮୨ ହଜାର କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି । ଫଳରେ ଏହି ୧୩୦ଟି ସହରରେ ମୋଟ ୧.୫୫ ଲକ୍ଷ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ହୋଇପାରିଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୧୩୦ଟି ମଧ୍ୟରୁ ୧୦୩ଟି ସହର ବାୟୁ ଗୁଣବତ୍ତାରେ ସୁଧାର ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭-୧୮ ତୁଳନାରେ ୨୦୨୪-୨୫ରେ ପିଏମ୍‌୧୦ ସ୍ତରରେ ୨୦% ପ୍ରଦୂଷଣ ହ୍ରାସ କରିଥିବା ୬୪ଟି ସହରକୁ ଅଭିନନ୍ଦନ ଜଣାଇଥିଲେ ଏବଂ ୨୦୨୪-୨୫ ସୁଦ୍ଧା ୪୦% ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ହାସଲ କରିଥିବା ୨୫ଟି ସହରକୁ ମଧ୍ୟ ପ୍ରଶଂସା କରିଥିଲେ । କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ଯେ ସରକାର ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସେବା ପର୍ବରେ ୭୫ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ମନ୍ତ୍ରଣାଳୟ ମଧ୍ୟ ନଗର ବନ ଯୋଜନା ଅଧୀନରେ ୭୫ଟି ନଗର ବନ ବିକଶିତ କରିବାକୁ ଲକ୍ଷ୍ୟ ରଖିଛି । ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ଦେଶରେ ରାମସାର ମାନ୍ୟତାପ୍ରାପ୍ତ ଆର୍ଦ୍ରଭୂମି ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ୨୦୧୪ରେ ଏଗୁଡ଼ିକର ସଂଖ୍ୟା ୨୫ ଥିଲା ।

Leave A Reply

Your email address will not be published.