- ଜାନୁଆରୀ ୧୭, ୨୦୨୫ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଛି । ଆସନ୍ତା ୧୭ ଜାନୁଆରୀ, ୨୦୨୫ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ । ଆବଶ୍ୟକ ଯାଞ୍ଚ ପରେ କମିଟି କରିଥିବା ସୁପାରିସ ଆଧାରରେ ସରକାର କ୍ରୀଡ଼ାବିତ୍, ପ୍ରଶିକ୍ଷକ, ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ରୀଡ଼ାରେ ଉତ୍କର୍ଷତାକୁ ସ୍ୱୀକୃତି ଓ ପୁରସ୍କୃତ କରିବା ପାଇଁ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ । ବିଗତ ୪ ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ପ୍ରଦାନ କରାଯାଇଥାଏ । କ୍ରୀଡ଼ାରେ ଉତ୍କର୍ଷତା ପାଇଁ ଅର୍ଜୁନ ପୁରସ୍କାର ବିଗତ ୪ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଦାନ କରାଯାଏ । ନେତୃତ୍ୱ, କ୍ରୀଡ଼ାଦକ୍ଷତା ଏବଂ ଶୃଙ୍ଖଳିତ ପ୍ରଦର୍ଶନକୁ ବିଚାରକୁ ନେଇ ଏହା ପ୍ରଦାନ କରାଯାଏ । ସକ୍ରିୟ କ୍ରୀଡ଼ା କ୍ୟାରିୟରରୁ ଅବସର ନେବା ପରେ ମଧ୍ୟ କ୍ରୀଡ଼ାରେ ଅବଦାନ ରଖିଥିବା ଏବଂ କ୍ରୀଡ଼ାର ପ୍ରଚାର ପ୍ରସାରରେ ଅବଦାନ ଜାରି ରଖିଥିବା କ୍ରୀଡ଼ାବିତମାନଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ଅର୍ଜୁନ ପୁରସ୍କାର (ଜୀବନତମାମ) ପ୍ରଦାନ କରାଯାଏ । ଉତ୍କୃଷ୍ଟ କ୍ରୀଡା ପ୍ରଶିକ୍ଷକମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର’ ପ୍ରଦାନ କରାଯାଏ, ଯେଉଁମାନେ କ୍ରମାଗତ ଭାବରେ ଉଦାହରଣୀୟ ଏବଂ ପ୍ରଶଂସନୀୟ କାର୍ଯ୍ୟ କରି କ୍ରୀଡ଼ାବିତ ମାନଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିବାରେ ସକ୍ଷମ କରନ୍ତି । ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସର୍ବୋତ୍ତମ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟକୁ ମୌଲାନା ଅବୁଲ କଲାମ ଆଜାଦ (ମାକା) ଟ୍ରଫି ପ୍ରଦାନ କରାଯାଏ । ଏହି ପୁରସ୍କାର ପାଇଁ ଅନଲାଇନରେ ଆବେଦନ ଆହ୍ୱାନ କରାଯାଇଥିଲା ଓ କ୍ରୀଡ଼ାବିତ୍/ପ୍ରଶିକ୍ଷକ/ଅନୁଷ୍ଠାନଗୁଡ଼ିକୁ ଏକ ସ୍ୱତନ୍ତ୍ର ପୋର୍ଟାଲ୍ ଜରିଆରେ ଆବେଦନ କରିବାକୁ ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ଏହି ପୁରସ୍କାର ପାଇଁ ବହୁ ସଂଖ୍ୟାରେ ଆବେଦନ ଆସିଥିଲା । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଭି. ରାମାସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସେଗୁଡ଼ିକର ବିଚାର କରିଥିଲା । କମିଟିରେ ବିଶିଷ୍ଟ କ୍ରୀଡ଼ାବିତ୍, କ୍ରୀଡ଼ା ସାମ୍ବାଦିକତାରେ ଅଭିଜ୍ଞତା ଥିବା ବିଶିଷ୍ଟ ବ୍ୟକ୍ତି ଏବଂ କ୍ରୀଡ଼ା ପ୍ରଶାସକମାନଙ୍କୁ ସାମିଲ କରାଯାଇଥିଲା ।