ଦେବଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ଗଣାଧିପ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଜିଲ୍ଲାସ୍ତରୀୟ ଇଲେମେଣ୍ଟାରି ବିଭାଗରେ ଶ୍ରେଷ୍ଠ ବିଦ୍ୟାଳୟ ଓ ଏହାର ପ୍ରଧାନ ଶିକ୍ଷକ ଗଣାଧିପ ଦାସଙ୍କୁ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ରୂପେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଜାନୁୟାରୀ ୩୧ ତାରିଖ ଦିନ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ମାନପତ୍ର, ମୁଖ୍ୟମନ୍ତ୍ରୀ ପୁରସ୍କାର ଟ୍ରଫି ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିୟାନ, ଗଣଶିକ୍ଷା (ଛାତ୍ରବୃତ୍ତି)ବିଭାଗ ଉପଦେଷ୍ଟା ଶିଶିର ପରିଜା ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱତି ଏସ୍ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୫ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଅଭିନବ ପ୍ରୟାସ ସ୍ୱରୂପ ଉଭୟ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ବର୍ଗରେ ସ୍ଵତନ୍ତ୍ର ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଣାଧିପ ଦାସ ଓ ବରିଷ୍ଠ ସହାକାରୀ ଶିକ୍ଷକ କ୍ଷିରୋଦ୍ର କୁମାର ମାଝୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ଦେବଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ଗଣାଧିପ ଦାସ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପରେ ବ୍ଲକ ଅଞ୍ଚଳର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭ୍ୟସଭ୍ୟା, ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।