ପୁଣି ଦୁଲୁକିବ ମୟୁରଭଞ୍ଜ : ଆରମ୍ଭ ହେବାକୁ ଯାଉଛି ମୟୂରଭଞ୍ଜ ମହୋତ୍ସବ ୨୦୨୫

  • ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହେବ ୧୧ଦିନିଆ ମହୋତ୍ସବ
  • ମହୋତ୍ସବ ମଞ୍ଚରେ ଶୋଭାପାଇବ ଖଡଖାଇ ବନ୍ଧ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଆଉ ସେହି କଳା ଓ ସଂସ୍କୃତିର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ । ୮ମ ବର୍ଷରେ ପଦାର୍ପଣ କରିଛି ଏହି ମହୋତ୍ସବ । ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ବୁଧବାର ବାରିପଦା ଛଉ ପଡିଆ ଠାରେ ମହୋତ୍ସବ ଆୟୋଜକ କମିଟି ଅଧ୍ୟକ୍ଷ ଅସିତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଲନୀରେ ଏହି ସୂଚନା ଦିଆଯାଇଛି । ପ୍ରଥମ ଦିନ ନଭେମ୍ବର ୩୦ ରବିବାର ଅପରାହ୍ନ ୨ଟା ସମୟରେ ରଥ ପଡିଆ ଠାରୁ ପ୍ରତିବର୍ଷ ଭଳି ଜିଲ୍ଲାର ବିଭିନ୍ନ କଳାକାରମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ଛଉ ପଡିଆ ପର୍ଯ୍ୟନ୍ତ ଆୟୋଜିତ ହେବ କାରନିଭାଲ ସୋ’ ବା ସାଂସ୍କୃତିକ ଶୋଭାଯାତ୍ରା । ଡିସେମ୍ବର ୧ ତାରିଖରୁ ୧୦ ଦିନ ଧରି ବାରିପଦାର ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ସ୍ଥିତ ଖଡଖାଇ ବନ୍ଧ ଆକୃତିର ତୋରଣ ମୁଖ୍ୟ ଆକର୍ଷଣ ରହିଥିବା ବେଳେ ବଲିଉଡ୍ ନାୟିକା ମୈନେ ପ୍ୟାର କିଆ ନାୟିକା ଭାଗ୍ୟଶ୍ରୀଙ୍କ ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ରୂପ କୁମାର ରାଠୋର ଏବଂ ସୋନାଲି ରାଠୋର ଉଦଯାପନୀ ସନ୍ଧ୍ୟାରେ ୧୦ ତାରିଖରେ ଧୁମ୍ ମଚାଇବେ । ସେହିପରି ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରତ୍ୟେକ ଦିନ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣ କଳାକାରଙ୍କ ଦ୍ଵାରା କଳା ପ୍ରଦର୍ଶନ ସହିତ ସିନେ ଜଗତର ବହୁ ନାମୀଦାମୀ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀ ପରମ୍ପରାକୁ ପ୍ରାଧାନ୍ୟ ଦେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୩ ଦିନ ସ୍ଵତନ୍ତ୍ର ଆଦିବାସୀ କାର୍ଯ୍ୟକ୍ରମ, ୩ ଦିନ ଓଡ଼ିଆ କାର୍ଯ୍ୟକ୍ରମ,୨ ଦିନ କୁଡୁମାଲି କାର୍ଯ୍ୟକ୍ରମ ସହିତ ୨ ଦିନ ବଲିଉଡ ଓ ଇଣ୍ଡିଆନ୍ ଆଇଡଲ କାର୍ଯ୍ୟକ୍ରମ ମଧ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ୧ ତାରିଖ ପ୍ରଥମ ସନ୍ଧ୍ୟାରେ ସୌରଭ ଓ ଦୀପ୍ତିରେଖା ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ୨ତାରିଖ ହେବ ଝୁମର କଳାକାର ରଞ୍ଜିତ, ମୋନାଲିସା, ଟ୍ଵିଙ୍କିଲ, ୩ ତାରିଖରେ ଇଣ୍ଡିଆନ ଆଇଡଲ୍ ୨୦୨୫ ବିଜେତା ମାନଷି ଘୋଷ ମଞ୍ଚରେ ସଙ୍ଗୀତ ପରିବେଷଣ କରିବାକୁ ଥିବାବେଳେ ୪ ତାରିଖରେ ସାନ୍ତାଳୀ ପ୍ରସିଦ୍ଧ ଗାୟକ ମଙ୍ଗଳ ହାଁସଦା, ପାରାୟଣି, ଗୋପିନାଥ ସିଂ ଓ ଟିମ୍ । ସେହିଭଳି ୫ ତାରିଖ ମୟୂରଭଞ୍ଜ ଜିଲ୍ଲାର ସୁନାମଧନ୍ୟ ଗାୟକ ମାନଙ୍କ ସହ ପ୍ରସିଦ୍ଧ ଗାୟକ କ୍ରିଷ୍ଣା ବାଉରାଙ୍କ ଗୀତରେ ଝୁମିବେ ଦର୍ଶକ । ୬ ତାରିଖରେ ଆଦିବାସୀ ସନ୍ଧ୍ୟାରେ ରଞ୍ଜିତା ସିଂ, ରାମ ମୁଣ୍ଡା, ପୂଟା କେରାଇ, ରିନା ସିଂ, ପୃଥିବୀରାଜ ସିଂ ଓ ସାଥୀଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ । ୭ ତାରିଖରେ ପପୁ ପମପମ, କଣ୍ଠଶିଳ୍ପୀ ଇରା ମହାନ୍ତି, କୁମାର ବାପି ଓ ସ୍ୱରାଜ ବାରିକ ମଞ୍ଚରେ ଧୁମ୍ ମଚାଇବାକୁ ଥିବା ବେଳେ ସ୍ଵତନ୍ତ୍ର ଆକର୍ଷଣ ରହିବ ଆସାମର ବିହୁ ଡାନ୍ସ । ୮ ତାରିଖରେ ପୁଣି ଝୁମର ଗୀତ ନେଇ ଆସିବେ ଗୌତମ ଓ ପମି । ୯ ତାରିଖ ଆଦିବାସୀ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବାକୁ ଆସିବେ ଆଦିବାସୀ ସୁପର ଷ୍ଟାର କଳ୍ପନା ହାଁସଦା ଓ ଟିମଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । ସେହିପରି ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସହ ଅନ୍ୟ ଜିଲ୍ଲା ମାନଙ୍କର କଳାର ଆଦାନ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମୟୂରଭଞ୍ଜ ଜିଲ୍ଲାର ହସ୍ତଶିଳ୍ପରୁ ଆରମ୍ଭ କରି କୁଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହ ଘରକରଣା ସାମଗ୍ରୀ ଏବଂ ପାରମ୍ପାରିକ ଖାଦ୍ୟ ମୁଢି ମାଂସ ସହ ଅନ୍ୟାନ୍ୟ ଖାଦ୍ୟର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ୨୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ଖୋଲିବ ଏହି ମହୋତ୍ସବରେ । ପ୍ରତିଦିନ ସନ୍ଧ୍ୟା ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିର ସଭାପତି କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ଯୁବପିଢୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଲ୍ଫି ଜୋନର ବ୍ୟବସ୍ଥା କରାଯାଉଛି ମହୋତ୍ସବରେ । ଏଥି ସହିତ ପୁରସ୍କାର ରାଶି ସହିତ ଫୁଟବଲ୍, ଲାଖବିନ୍ଧା ପ୍ରତିଯୋଗିତା ସାଙ୍ଗକୁ ରିଲ୍ସ ପ୍ରତିଯୋଗିତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ପୁରୁଣା ସ୍ମୃତିକୁ ସାଉଁଟି ଦୁଇ ଦୁଇଟି ସେଲଫି ଜୋନ ପ୍ରସ୍ତୁତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମନଙ୍କ ମଧ୍ୟରେ ସଂଜୀବ ଦ୍ଵିବେଦୀ, ବିପ୍ଳବ ବୁଗୁଡେଇ, କାଶୀନାଥ ରଣା, ତରୁଣ ମହାନ୍ତି, ଅମିତାଭ ସାହୁ, ନିମାଇଁ ତ୍ରିପାଠୀ, ରାକେଶ ସିଂ, ଜିତେନ୍ଦ୍ର ହେମ୍ବ୍ରମ, ସୁଜିତ ମହାନ୍ତି, ପିଣ୍ଟୁ ମାଇତି, ରାକେଶ ବେହେରା, ସତ୍ୟମ ପାଣି, ରାକେଶ ମହାନ୍ତି, ରାଜେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.