
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ ଗାଁରେ ଉପଦ୍ରବ କରୁଥିବା ବେଳେ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ଏହି ହାତୀପଲ ବିଶେଷ କରି ଏହି ରେଞ୍ଜ ଜଏଁତରା, ଚଳକୀ, ନୂଆଁମୁଣ୍ଡା, ବାନ୍ଦୂପଲା, ଘୁଷୁରାମୁଣ୍ଡା, ବାରବନ୍ଧ, ମୁରିବାହାଲ, ବନବାହାଲ ଓ କେରମେଲା ଗ୍ରାମ ସମେତ ବହୁ ଜଙ୍ଗଲ ଅଞ୍ଚଳରେ ଆସି ରହିଯାଇଛନ୍ତି । ଶୁକ୍ରବାର ରାତିରେ ଏହି ୩୫ଟିକିଆ ହାତୀପଲ ଜଙ୍ଗଲ ଭିତରୁ ବାହାରି ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଚାଷୀ ସୁଦର୍ଶନ ମାହାକୁରଙ୍କ ୨ଏକର ଡ଼ାଳୁଅ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ତାଙ୍କର ସୋଲାର ପମ୍ପକୁ ମଧ୍ୟ ଭାଙ୍ଗିରୁଜି ଦେଇଥିଲେ । ଚାଷୀଙ୍କ ଦୁଇ ଏକର ଧାନ ଫସଲ ନଷ୍ଟ ହେବା ସହିତ ତାଙ୍କ ସୋଲାର ପମ୍ପ ଭାଙ୍ଗି ଯିବାରୁ ସେ ବହୁ ଚିନ୍ତାରେ ପଡିଯାଇଛନ୍ତି । ଏହି ହାତୀପଲ ବିଭିନ୍ନ ଅଞ୍ଚଳ ବୁଲି ରବିବାର ରାତିରେ ବନବାହାଲ ଗ୍ରାମ ଅନ୍ତର୍ଗତ ଟିକେମନିପାଲିର ୩ଜଣ ଚାଷୀଙ୍କ ୩ଏକର ଡ଼ାଳୁଅ ଧାନ ଫସଲକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଛନ୍ତି । ହାତୀପଲ ଚାଷୀ ଧନଞ୍ଜୟ କୁଅଁର, ଲକ୍ଷୀନ୍ଦ୍ର କୁଅଁର ଓ ରଥି କୁଅଁରଙ୍କ ଡାଳୁଅ ଧାନ ଫସଲକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ରେଞ୍ଜର ଶିବପ୍ରସାଦ ନାୟକଙ୍କୁ ପଚାରିବାରୁ ଦୀର୍ଘ ୫ମାସ ହେବ ଏହି ରେଞ୍ଜରେ ହାତୀପଲ(ଗଜରାଜ)ଙ୍କ ଉପସ୍ଥିତି ଯୋଗୁଁ ଆମେ ଅସହାୟ ଅବସ୍ଥାରେ ରହିଛୁ । ହାତୀପଲ କୁଆଡେ ଯାଉଛନ୍ତି ନା ସେମାନଙ୍କୁ କୁଆଡେ ଘଉଡାଇ ମଧ୍ୟ ହେଉ ନାହିଁ, କେବଳ ସେମାନଙ୍କ ପ୍ରତିଦିନର ଗତିବିଧି ସମ୍ପର୍କରେ ତୀକ୍ଷଣ ନଜର ରଖାଯାଇଛି ବୋଲି ପ୍ରକାଶ କରି ନିଜ ଅସହାୟତା ପ୍ରକାଶ କରିଥିଲେ । ଯେଉଁ ଚାଷୀଙ୍କ ଧାନ ଆଦି ଫସଲ ନଷ୍ଟ କରିଦେଇଛନ୍ତି, ଆବେଦନ କଲେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାତିରେ ଧାନ ଆଦି ଫସଲ ନଷ୍ଟ କରି ସକାଳୁ ଜଙ୍ଗଲ ଭିତରକୁ ଚାଲିଯାଉଥିବା ଏହି ହାତୀପଲ ପୁଣି ସନ୍ଧ୍ୟା ହେଲେ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡ଼ିକ ପାଖକୁ ପହଞ୍ଚି ଯାଉଥିବାରୁ ଚାଷୀ ତଥା ଗ୍ରାମବାସୀମାନେ ଭୟ ଓ ଆତଙ୍କରେ ରହୁଥିବା ଗୁରୁତର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଡିଏଫଓ, ଏସିଏଫ୍ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ବ୍ଲକ ଅଞ୍ଚଳବାସୀ ଦାବୀ କରିଛନ୍ତି ।