ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ବହୁ ପୁରୁଣା କନ୍ଧପାଲିପଡ଼ାର ପୋଖରୀ ପୁନଃଉଦ୍ଧାର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗିର ପୌରରିଷଦ । ଏହି ପୋଖରୀ ଉପରେ ନିର୍ଭର କରୁଥିବା ଅଂଚଳବସୀମାନେ ଦୀର୍ଘ ଦିନ ହେଲା ପୋଖରୀର ଅବ୍ୟବସ୍ଥା ତଥା ଡ୍ରେନେଜ ପାଣି ପୋଖରୀକୁ ପଶି ଦୂଷିତ ହେଉଥିବା ଅଭିଯୋଗ କରୁଥିବା ବେଳେ ପୋଖରୀର ପାଣି ଦୂଷିତ ହେବାର ମୁଖ୍ୟ କାରଣ ହେଉଛି ପୋଖରୀ ଭିତରେ ଉଠିଥିବା ପଦ୍ମ ଓ କଇଁ ନାଡ଼ । ପୋଖରୀ ସାରା ପୁରା ପଦ୍ମ ଓ କଇଁ ପତ୍ର ଭର୍ତ୍ତି । ଲୋକଙ୍କ ଗାଧୋଇବା ପାଇଁ ବହୁ ଅସୁବିଧା ହେଉଥିଲା, ଯାହାଫଳରେ ତୁରନ୍ତ ଏହି ପୋଖରୀର ପୁନଃଉଦ୍ଧାର କରିବା ପାଇଁ ଅଂଚଳବସୀ ଦାବୀ କରି ଆସୁଥିଲେ । ପୌରପ୍ରଶାସନ ପକ୍ଷରୁ ଦାବୀକୁ ଗ୍ରହଣ କରାଯାଇ ବଡ଼ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, କାଉନସିଲର ସରିତା ଦାସ, ପଡ଼ାର ଗୌନ୍ତିଆଙ୍କ ସହ ଅଂଚଳବାସୀ ଉପସ୍ଥିତ ରହି ପୋଖରୀର ପୁନଃଉଦ୍ଧାର ପାଇଁ ପ୍ରଥମେ ଦେବାଦେବୀଙ୍କ ପୂଜା ଅର୍ଚ୍ଚନ କରିଥିଲେ ଓ ଏହା ପରେ ପାଣି କାଟିଥିଲେ । କନ୍ଧପାଲିପଡ଼ାର ଗୌନ୍ତିଆ ଓ ଅଂଚଳବାସୀ ପୌର ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।