ମହାଷ୍ଟମୀ ମହାନବମୀ ପାଇଁ ମା’ ବୀରସିଂହୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅଧୀନସ୍ଥ ବିପୁଲିଙ୍ଗୀ ଗ୍ରାମର ଏକ ଅନୁଚ୍ଚ ପର୍ବତ ଉପରେ ବିରାଜିତ ଖଣ୍ଡ-ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ମା’ ବୀରସିଂହୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ମୁଖର ହୋଇଉଠିଛି । ତିନିଦିନ ବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଉଥିବା ବେଳେ ମା’ ବୀରସିଂହୀ ଦେବୀଙ୍କ ଠାରେ ମହାଷ୍ଟମୀ ଓ ମହାନବମୀ ପୂଜା ନିମନ୍ତେ ସ୍ୱତନ୍ତ୍ର ନୀତିକାନ୍ତି ଏବଂ ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ଦୈନିକ ଚଣ୍ଡୀପାଠ, ହୋମ ତଥା ଷୋଡ଼ଶ ଉପଚାର ପୂଜାବିଧି ଅନୁଷ୍ଠିତ ହୋଇ ଆସୁଅଛି । ପ୍ରକାଶ ଥାଉକି, ଅଧିଷ୍ଠାତ୍ରୀ ଦେବୀ ମା’ ଶିବାରୁଢ଼ା ଦକ୍ଷିଣ କାଳୀ ରୂପରେ ପୂଜା ଆରାଧନା କରାଯାଏ । ଯାହାକି ପ୍ରାଚୀନ ଗଡ଼ଜାତ ରାଜ୍ୟ ପାଲୁରୁଗଡ଼ ରାଜାଙ୍କ ଅନ୍ୟତମ ଈଷ୍ଟଦେବୀ ଭାବେ ଜନମାନସରେ ଖ୍ୟାତ ଓ ପରିଚିତ ହେଇ ଆସିଥିବା କୁହାଯାଏ । ମା’ଙ୍କ ଠାରେ ଆମିଷ ଭୋଜନ ଅଦ୍ୟାବଧି ପ୍ରଚଳିତ ହୋଇ ଆସୁଛି । ଏଠାରେ ଭକ୍ତମାନେ ନିଜ ପରିବାରର ମଙ୍ଗଳ ମନାସୀ ଥାଆନ୍ତି । ମାନସିକ ପୂରଣ ହେବା ପରେ ଉକ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ଘର, କୁଟୁମ୍ବ, ବନ୍ଧୁ-ପରିଜନମାନଙ୍କୁ ନେଇ ଏଠାରେ ଖୁସିରେ ଭୋଜିଭାତର ଆୟୋଜନ କରନ୍ତି । ବାସ୍ତବିକ୍ ଏଠାରେ ବାର ମାସରେ ବନ୍ଧୁମିଳନ ବେଶ୍ ଭୋଜି ଆସର ଜମିଥାଏ । ମା’ ବୀରସିଂହୀ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି ପାର୍ବଣ ପୂଜା ଅନୁଷ୍ଠିତ ହେଇଥାଏ । କର୍ତ୍ତା ଭାବେ କୁନା ଦାଶ ଓ ପୂଜକ ପଣ୍ଡିତ ନରହରି ଦାଶ ଶର୍ମାଙ୍କ ପୌରହିତ୍ୟରେ ପୂଜା କର୍ମକାଣ୍ଡ ଆଦି ଅନୁଷ୍ଠିତ ହୋଇ ଆସୁଛି । ଦୈନିକ ଅଗଣିତ ଶ୍ରଦ୍ଧାଳୁ ଭକ୍ତଗଣ ଦେବୀଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ପବିତ୍ର ମହାଷ୍ଟମୀ ମହାନବମୀ ପୂଜାରେ ସମାଗମ ହୋଇଥାଏ । ସର୍ବୋପରି ଉକ୍ତ ଅଞ୍ଚଳର ଜ୍ଞାତି କୁଟୁମ୍ବ ରାଜ୍ୟ ଓ ରାଜ୍ୟ ବାହାରେ କର୍ମ ନିୟୋଜନରେ ନିୟୋଜିତ ହୋଇ କାର୍ଯ୍ୟରେ ରହି ଆସିଥିବା ସୁଦୂର ବାଙ୍ଗାଲୋର, ଆନ୍ତର୍ଜାତୀୟ ସ୍ତରରେ, ବିଦେଶରେ ରହି ଆସୁଥିବା ଏହି ଗ୍ରାମର ଲୋକମାନେ ମଧ୍ୟ ମା’ ବୀରସିଂହୀଙ୍କ ଈଷ୍ଟଦେବୀ ବୋଲି ଭାବନାନେଇ ଏଠାକୁ ଆସିଥାଆନ୍ତି । ନିଜ ନିଜର ମାନସିକ ପୂରଣ ପାଇଁ ଏଠାରେ ପୂଜାର୍ଚ୍ଚନା କରିଥାଆନ୍ତି । ଯାହାକି ମା’ ବୀରସିଂହୀ ପୀଠ ର ଅବସ୍ଥିତି ଓ ମାନ୍ୟତା ପରମ୍ପରା ଖୁବ୍ ନିଆରା ଅଟେ ବୋଲି ସାଧାରଣରେ ବିଶ୍ୱାସ କରାଯାଏ ।

Leave A Reply

Your email address will not be published.