jayashree

ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ : ବିଶ୍ୱଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆଜି ମଙ୍ଗଳବାର ଦିନ ବିଶ୍ୱଶାନ୍ତି ପାଇଁ ଚୈତ୍ର ପର୍ବ ପାଳିତ ହୋଇଯାଇଛି । ସକାଳୁ ମନ୍ଦିରରେ ଭକ୍ତମାନଙ୍କ ମାତା ଦର୍ଶନ ପାଇଁ ପ୍ରବଳ ଗହଳି ଲାଗିଥିଲା । ପରେ ମନ୍ଦିର ପରିସରରେ ବଳି ପୀଠରେ ମାନସିକଧାରୀମାନେ ପଶୁବଳି ଅର୍ପଣ କରିଥିବା ବେଳେ ସକାଳୁ ରୀତିନୀତି ଅନୁସାରେ ଗୁପ୍ତ ପୂଜା ଅନୁଷ୍ଠିତ ହେବା ପରେ ମହା ଆଳତି ହୋଇଥିଲା । ଆମ୍ବ ବଉଳ, ଚାର, ପଳାସଫୁଲରେ ସଜ୍ଜିତ ହୋଇ ଛେରା ପହରା ବାହାରିଥିଲା । ଘଣ୍ଟ, ଶଙ୍ଖ ବାଦ୍ୟରେ ମାତାଙ୍କୁ ପାଛୋଟି ନିଆଯାଇଥିଲା । ଏହାକୁ କେବଳ ଉପବାସ କରୁଥିବା ସେବକମାନେ ହିଁ ବୋହିଥିଲେ । ମନ୍ଦିରରୁ ବାହାରି ଡେର୍ଲିମାର୍କେଟ ରୋଡ ଦେଇ ରେଲୱେ ଷ୍ଟେସନ ରୋଡ, ମାଲପଡା ମେଟାକାନି ମନ୍ଦିର ଦେଇ ସୁଦପଡା ଓ ଗାନ୍ଧିନଗରପଡା ଏଭଳି ସହରର ୪ଟି ଦିଗରେ ପୂଜାର୍ଚ୍ଚନା କରାଯାଇଥିଲା । ମନ୍ଦିରକୁ ଫେରିବା ପରେ ବିଶ୍ୱ କଲ୍ୟାଣ, ଶାନ୍ତି ପ୍ରତିଷ୍ଠା ତଥା ଜିଲ୍ଲାରୁ ରୋଗ ବ୍ୟାଧି ଦୂର ସହ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଚୈତ୍ର ପର୍ବ ଉପଲକ୍ଷେ ମା’ ମନ୍ଦିରରେ ଢେର ସମୟ ଧରି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ମନ୍ଦିରର ପୂଜକ ଅକ୍ଷୟ ଦିସ୍ରୀ ପୂଜା ଦାୟିତ୍ୱ ତୁଳାଇଥିଲେ ।

Leave A Reply

Your email address will not be published.