ବଲାଙ୍ଗିର, (କେପିଏନ୍ଏସ୍) : ପବିତ୍ର ବସନ୍ତ ପଞ୍ଚମୀ ମା’ ବାଗ୍ଦେବୀଙ୍କ ପୂଜା । ଏହିଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ ବିଦ୍ୟାପ୍ରାପ୍ତି ନିମନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା କରାଯାଏ । ଜେଏସ୍ଏମ୍ ବାଣିଜ୍ୟ ଓ କଳା ମହାବିଦ୍ୟାଳୟ ପରିସରରେ ବହୁ ଆଡମ୍ବର, ଗର୍ବ ଓ ଗୌରବ ସହିତ ଅତି ଭକ୍ତିପୂର୍ଣ୍ଣ ସହକାରେ ମା’ ସରସ୍ଵତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଏହି ବିଦ୍ୟାଳୟର ମଣ୍ଡପକୁ ସୁସଜ୍ଜିତକରି ମା’ଙ୍କ ମୃଣୟ ପ୍ରତିମୂର୍ତ୍ତି ବିରାଜମାନ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ସୁନ୍ଦର ରଙ୍ଗୀନ କାଗଜ, ପତ୍ର ଓ ଫୁଲରେ ସଜା ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା ଓ ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା ପୂଜାରେ ମୁଖ୍ୟକର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ପୀତବାସ ପଣ୍ଡାଙ୍କ ସହିତ ଅନେକ ଅତିଥିବୃନ୍ଦ ଉପସ୍ଥିତ ରହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସହ ପ୍ରଦାନ କରିଥିଲେ । ସମଗ୍ର ପରିବେଶ ଭକ୍ତିମୟ ହୋଇଥିଲା । ପୂଜାର ପୂର୍ଣ୍ଣଆହୁତି ପରେ ସମସ୍ତ ଛାତ୍ରଛାତ୍ରୀ ଓ ନିମନ୍ତ୍ରିତ ଅତିଥିମାନେ ପୁଷ୍ପାଞ୍ଜଳୀ ମା’ଙ୍କ ଚରଣରେ ଅର୍ପଣ କରି ପ୍ରସାଦ ସେବନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ପରିଚାଳନା ସମିତିର ସଦସ୍ୟ, ସଦସ୍ୟା, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପୂଜାର ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ ।