
ପୁଇଁନ୍ତଲା, (କେପିଏନ୍ଏସ୍) : ସେକେଣ୍ଡ୍ ହେଣ୍ଡ୍ ବାଇକ୍ ବିକିବା ବାହାନାରେ ଜଣେ ଅଭିଯୁକ୍ତ ୬୫ ହଜାର ଟଙ୍କା ଠକି ନେଇଥିବା ବେଳେ ପୁଇଁନ୍ତଲା ପୁଲିସ ଅଭିଯୁକ୍ତକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭେଡେ଼ନ୍ ନିକଟସ୍ଥ ରୁଷୁଡ଼ା ନିବାସୀ ପରେଶ ବାଦି ଏକ ସେକେଣ୍ଡ ହେଣ୍ଡ ବାଇକ୍ କିଣିବାକୁ ଚାହୁଁଥିବା ବେଳେ ବିନିକା ଥାନା ଅନ୍ତର୍ଗତ ଉର୍ଲେ ଗ୍ରାମର ରାହୁଲ ରାଜ ଜଗଦଲା ନାମକ ଜଣେ ଯୁବକ ପରେଶଙ୍କୁ ସେକେଣ୍ଡ ହେଣ୍ଡ ବାଇକ୍ ବିକ୍ରି କରୁଥିବା ସୂଚନା ଦେବା ସଂଗେ ସଂଗେ ଠିକ୍ ମୂଲ୍ୟରେ ବାଇକ୍ ଯୋଗେଇ ଦେବ ବୋଲି କହିଥିଲା ଏବଂ ଅଭିଯୁକ୍ତ ରାହୁଲରାଜ ପରେଶଙ୍କୁ ମଲମୁଣ୍ଡା ସ୍ଥିତ ଦେବରାଜ ଷ୍ଟକ୍ୟାର୍ଡରେ ସାକ୍ଷାତ କରିବାକୁ ଡାକିଥିଲା । କଥାବାର୍ତ୍ତା ଅନୁସାରେ ଗତକାଲି ପରେଶ ପହଂଚିବା ପରେ ରାହୁଲରାଜ ଷ୍ଟକ୍ୟାର୍ଡରେ ବାଇକ୍ ଦେଖାଇଥିବା ବେଳେ ପରେଶ ଏକ ସେକେଣ୍ଡ ହେଣ୍ଡ କେଟିଏମ୍ ବାଇକ୍ ବାଛିଥିଲେ । ଅଭିଯୁକ୍ତ ରାହୁଲରାଜ ଏହି ବାଇକ୍ର ମୂଲ୍ୟ ୬୫ ହଜାର ବୋଲି କହିବା ପରେ ପରେଶ ତାଙ୍କୁ ୬୫ ହଜାର ଟଙ୍କା ପେଟିଏମ୍ ମାଧ୍ୟମରେ ପ୍ରଦାନ କରିଥିଲେ । କିନ୍ତୁ ପେଟିଏମ୍ ମାଧ୍ୟମରେ ଟଙ୍କା ଗ୍ରହଣ କରିବା ପରେ ଅଭିଯୁକ୍ତ ରାହୁଲରାଜ୍ ସେଠାରୁ ଫେରାର୍ ହୋଇଯିବା ସହ ପରେଶଙ୍କ କଲ୍ ମଧ୍ୟ ଆଉ ରିସିଭ୍ କରିନଥିଲା । ଆଜି ଏ ସଂକ୍ରାନ୍ତରେ ପରେଶ ପୁଇନ୍ତଲା ଥାନାରେ ଅଭିଯୋଗ କରିବା ପରେ ପୁଇନ୍ତଲା ପୋଲିସ କେସ୍ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଷ୍ଟକ୍ୟାର୍ଡରେ ଆଉ ଜଣେ ବ୍ୟକ୍ତିଙ୍କୁ ଠକିବାକୁ ଅଭିଯୁକ୍ତ ରାହୁଲରାଜ ଚେଷ୍ଟା କରୁଥିବା ସମୟରେ ପୋଲିସ ପହଂଚି ତାକୁ ଗିରଫ୍ କରିବା ସହ ତା ଠାରୁ ପରେଶଙ୍କ ଦ୍ୱାରା ଦିଆଯାଇଥିବା ଟଙ୍କା ଉଦ୍ଧାର କରିଥିଲା । ତେବେ ଅଭିଯୁକ୍ତ ରାହୁଲରାଜକୁ ଆଜି କୋର୍ଟ ଚାଲାଣ କରିଥିବା ପୁଇଁନ୍ତଲା ଥାନା ଅଧିକାରିଣୀ ଅନିତା ପ୍ରଧାନ ସୂଚନା ଦେଇଛନ୍ତି ।