
ଚାଉଳଫୁପୁଡ଼ାରେ ସ୍ତ୍ରୀର ମୃତ୍ୟୁ ପରେ ମାଁ ଉପରେ ଘର ଛାତ ଅତଡ଼ା ପଡ଼ି ଚାଲିଗଲା ଜୀବନ : ଏବେ ଚିନ୍ତାରେ ଗରିବ ପୁଅ ଟିକ ତାଣ୍ଡି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ଚାଉଳଫୁପୁଡ଼ା ଗ୍ରାମର ଟିକ ତାଣ୍ଡି ନିମ୍ନରୁ ଅତି ନିମ୍ନ ଗରିବ ଶ୍ରେଣୀର ଅନ୍ତୋଦୟ କାର୍ଡ ଅନ୍ତର୍ଭୁକ୍ତ ଅଟନ୍ତି । କିଛି ଦିନ ତଳେ ତାଙ୍କ ସ୍ତ୍ରୀ ଦେବକୀ ତାଣ୍ଡିଙ୍କ କିଡ଼ନି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବାବେଳେ, ଆଜି ବୁଧବାର ୨୧/୦୫/୨୫ ତାଙ୍କ ମା ସୁମତି ତାଣ୍ଡିଙ୍କ ଉପରେ ଘର ଛାତ ଉପରୁ ଅତଡ଼ା ଖସି ମୁଣ୍ଡରେ ପଡ଼ିଥିବାରୁ ତାଙ୍କର ଜୀବନ ଚାଲିଯାଇଛି । ଏବେ ପରିବାରରେ ୩ ଝିଅ ଗୋଟିଏ ପୁଅଙ୍କ ସହ ଜଣେ ବିକଳାଙ୍ଗ ଭାଇର ସାହାରା ଗରିବ ପୁଅ ଟିକ ତାଣ୍ଡି ଚିନ୍ତାରେ ପଡ଼ିଛି । ପୂର୍ବରୁ ହିଁ ସେ ପରିବାର ଭରଣ ପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ପେଟପାଟଣା କରିଥାନ୍ତି । ମାଙ୍କ ଉପରେ ଘର ଛାତ ଅତଡ଼ା ପଡ଼ି ମୁଣ୍ଡ ଫାଟି ଯାଇଥିବା ଖବର ପାଇ ସେ ଘରକୁ ଫେରିଥିଲେ । ମାଁଙ୍କୁ ମୁରିବାହାଲ ହସ୍ପିଟାଲକୁ ନେଇ ଚିକିତ୍ସା କରାଇ ଥିଲେ କିନ୍ତୁ ମୁରିବାହାଲ ଡାକ୍ତର ତାଙ୍କୁ ବଲାଙ୍ଗିର ନେଇଯିବା ପାଇଁ କହିଥିଲେ ହେଲେ ପଇସାପତ୍ର ଅଭାବରୁ ବଲାଙ୍ଗିର ହସ୍ପିଟାଲ ମଧ୍ୟ ନେଇ ପାରିଲେ ନାହିଁ । ମାଙ୍କୁ ଘରକୁ ଫେରାଇ ଆଣି ଟଙ୍କା ଯୋଗାଡ଼ କରି ହସ୍ପିଟାଲ ନେବାର ବ୍ୟବସ୍ଥା କରୁଥିବାବେଳେ ମାଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅ ଟିକ ତାଣ୍ଡି ଏବେ ଚିନ୍ତାରେ ପଡ଼ି ଗୁହାରି କରିଛନ୍ତି ପ୍ରଶାସନକୁ । ପୁରୁଣା ଘରର ଛାତ ବାରମ୍ବାର ଖସୁଥିବାରୁ ପରିବାରର ସମସ୍ତଙ୍କ ଜୀବନ ଏବେ ବିପଦରେ ରହିଥିବା ସେ କହିଛନ୍ତି । ପଇସାପତ୍ର ଅଭାବରେ କିଡନି ରୋଗରେ ପୀଡିତ ଥିବା ସ୍ତ୍ରୀ କିଛି ଦିନ ପୂର୍ବରୁ ଛାଡ଼ି ଚାଲି ଯାଇଥିବା ବେଳେ ଏବେ ମା ଉପରେ ଛାତ ଅତଡ଼ା ପଡ଼ି ମୃତ୍ୟୁବରଣ କରିଛନ୍ତି । ବିକଳାଙ୍ଗ ଭାଇର ସାହାରା ସହ ପୁଅ ଝିଅର ରହିବା ବ୍ୟବସ୍ଥାକୁ ନେଇ ଚିନ୍ତାରେ ଗରିବ ପୁଅ ଟିକ ତାଣ୍ଡି । ତାଙ୍କୁ ଆବାସ ଘରଟିଏ ଯୋଗାଇ ଦେବା ସହ କିଛି ଆର୍ଥିକ ସାହାଯ୍ୟ କରିବା ପାଇଁ ପ୍ରଶାସନକୁ ଗୁହାରି କରିବା ସହ ହଳଦୀ ସରପଞ୍ଚଙ୍କୁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାରୁ କିଛି ସାହାଯ୍ୟ କରିବା ପରି ନିବେଦନ କରିଛନ୍ତି । ସରକାରୀ ସୁବିଧା ଅନୁସାରେ ତାଙ୍କୁ ଭତ୍ତା ସହ ଆବାସ ଘର ଖଣ୍ଡିଏ ଯୋଗାଇ ଦେଲେ ସେ ଦାଦନ ଯାଇ ମଧ୍ୟ ପରିବାର ଭରଣ ପୋଷଣ କରିବି ବୋଲି କାନ୍ଦି କାନ୍ଦି ନିଜ ପ୍ରତିକ୍ରିୟା ଦେଇଛନ୍ତି ।