ପିତାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ପୁଅର ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ): ପିତାଙ୍କ ଅନ୍ତିମ ସଂସ୍କାର କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଯାଇଛି ପୁତ୍ରଙ୍କ ଜୀବନ । ସୂଚନା ମତେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡରେ ଏକ ଏଆରଏସଏସ କମ୍ପାନୀର ଟ୍ରଲର ଗାଡି ଠିଆ ହୋଇଥିଲା । ନିଜ ପିତାଙ୍କ ଅନ୍ତିମ ସଂସ୍କାର ସାରି ଏକ ସ୍ୱିଫ୍ଟ କାରରେ ପୁରୀରୁ ଫେରୁଥିବା ବେଳେ କାରଟି ଟ୍ରଲରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତରଭାର ଅରୁଣ ମେହେରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଂଚଳର ଛବି ମେହେର, ବେଳପଦରର ବିଦୁଭୂଷଣ ମେହେର, ଅଶୋକ ମେହେର ଏବଂ ରାମ ମେହେର । ସମସ୍ତେ ମୃତକଙ୍କ ସମ୍ପକୀୟ ବୋଲି ଜଣାପଡିଛି । ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଖବର ପାଇଁ ହରଭଙ୍ଗା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତରଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.