
ନୟାଗଡ଼ : ପଞ୍ଚରିଡ଼ା ରେଞର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିଜ ବାସଭବନରୁ ମିଳିବା ଘଟଣା । ଶିଶିରଙ୍କ ପତ୍ନୀ ନମିତା ଏବଂ ପୁଅ ଅଭିଷେକକୁ ଗିରଫ କଲା ଟାଉନଥାନା ପୋଲିସ । ଶନିବାର ବିଳମ୍ବିତ ରାତିରେ ଶିଶରଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ ଶିଶରଙ୍କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନୟାଗଡ଼ ବାରମାସୀ ଦଣ୍ଡାରେ ସ୍ତ୍ରୀ ଓ ପୁଅ ସହ ରହୁଥିଲେ ଶିଶର । ହେଲେ ଶିଶରଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ଶନିବାର ବିଳମ୍ବିତ ରାତିରେ ଶିଶର ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲେ । ହେଲେ ଏହି ସମୟରେ ପତ୍ନୀ ନମିତା ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ । ମୋବାଇଲରେ କାହାର ଫଟୋ ଅଛି, ତାକୁ ଯାଞ୍ଚ କରୁଥିବାବେଳେ ନମିତାଙ୍କ ସହ ଶିଶିରଙ୍କର ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା । ଏହା ପରେ ଘରେ ଏକ ପ୍ଲାଷ୍ଟିକ୍ କାରରେ ଥିବା ପେଟ୍ରୋଲ ଆଣି ଶିଶରଙ୍କ ଉପରେ ନମିତା ଢାଳି ଦେଇ ଦିଆସିଲି ମାରି ଦେଇଥିଲେ ନମିତା । ଆଉ ଶିଶିର ନିଆଁରେ ଜଳୁଥିବାବେଳେ ଘର କବାଟ ବନ୍ଦ କରି ନମିତା ଓ ଅଭିଷେକ ବାହାରକୁ ପଳାଇ ଆସିଥିଲେ । ପରେ ନମିତା ଓ ଅଭିଷେକଙ୍କ ଚିତ୍କାର ଶୁଣି ପଡ଼ୋଶୀ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ କରି ଡାକିଥିଲେ । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିଲା । ସେତେବେଳକୁ ଶିଶିରଙ୍କ ଶରୀର ଅଧିକାଂଶ ଜଳି ଯାଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶିଶରଙ୍କ ବଡ଼ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।