
ଛେଣ୍ଡିପଦା : ନିଶାଶକ୍ତ ପୁଅର ଉନ୍ମତ୍ତ କାଣ୍ଡ । ଜନ୍ମକଲା ମା’କୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା । ରବିବାର ରାତିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ପରା ଗାଁରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଅଟକ ରଖିଛି । ସୂଚନାନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ବେଳେ ଜରପଡ଼ା ଥାନା ପରା ଗାଁର ଶାନ୍ତିଲତା ପେଣ୍ଠୋଇ (୫୮ ବର୍ଷ) ଓ ତାଙ୍କ ପୁଅ ରଥି (୨୮ ବର୍ଷ) ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ରଥି ନିଶାସକ୍ତ ଅବସ୍ଥାରେ ଏକ ଠେଙ୍ଗାରେ ଶାନ୍ତିଲତାଙ୍କୁ ଆକ୍ରମଣ କରିଥିଲା । ପ୍ରଚଣ୍ଡ ପ୍ରହାରରେ ଶାନ୍ତିଲତା ସଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ମୃତଦେହ ଜବତ କରି ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।