ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକା ଆଦର୍ଶ ବିଦ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା । ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆଦର୍ଶ ବିଦ୍ୟାଳୟରେ ନୂତନ ଭାବରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଡୁଡୁକା ଆଦର୍ଶ ବିଦ୍ୟାଳୟ ପକ୍ଷରୁ କୃଷ୍ଣ ପ୍ରସାଦ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମର୍ଟରୁମରେ ଅନୁଷ୍ଠିତ ଉକ୍ତ ବୈଠକରେ ସାଲେଭଟା ସମ୍ବାଦିକ ବିରାଜ ନନ୍ଦ ପାଢ଼ୀ ସଭାପତିତ୍ୱ କରିଥିଲେ । ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୨୭ଟି ନୂତନ ଆଦର୍ଶ ବିଦ୍ୟାଳୟ ଓ ୭୬ ଛାତ୍ରାଛାତ୍ରୀ ଆବାସର ଶିଳାନ୍ୟାସ କରିଥିଲେ । କୃଷ୍ଣ ପ୍ରସାଦ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ମର୍ଟରୁମ୍ରେ ସ୍ମର୍ଟବୋର୍ଡ ମାଧ୍ୟମରେ ଏହାକୁ ସିଧାପ୍ରାରଣ କରାଯାଇଥିଲା । ବିଦ୍ୟାଳୟ ଅଭିଭାବକଙ୍କ ପକ୍ଷରୁ ଆଦର୍ଶ ବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଅର୍ପଣ କରାଯାଇଥିଲା । ଏଥିରେ ସାଲେଭଟା ଉତ୍କଳମଣି ହାଇସ୍କୁଲର ପ୍ରଧାନ ଶିକ୍ଷକ ସନାତନ ପୁରୋହିତ, କୃଷ୍ଣ ପ୍ରସାଦ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ ମଂଚାସୀନ ଥିଲେ । ଶିକ୍ଷାବିତ୍ ସୁଜିତ କୁମାର ବାଗ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହାକୁ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରବୀଣ ସାହୁ ପରିଚାଳନା କରିଥିଲେ ।
୨୦୨୨-୨୩ ଶିକ୍ଷାବର୍ଷରେ ଆଗଲପୁର ବ୍ଲକ ଡୁଡୁକା ଆଦର୍ଶ ବିଦ୍ୟାଳୟ ଖୋଲାଯାଇ ସାଲେଭଟା ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୮୪ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଛି । ଉକ୍ତ ଛାତ୍ରଛାତ୍ରୀ ୭ମ ଶ୍ରେଣୀକୁ ଉତିନ୍ନ ହୋଇଛନ୍ତି । ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ୮୦ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା ।
ଛାତ୍ରଛାତ୍ରୀଙ୍କ ଉନ୍ନତି ଓ ବିବିଧ ଅସୁବଧା ଉପରେ ଆଲୋଚନା କରାଯାଇଥିଲା । ଡୁଡୁକା ଶୁଶାନ୍ତୀ ନଗରଠାରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଉପରେ ୩୩କେଭି ବିଦ୍ୟୁତ୍ ତାର ଯାଇଥିବା ବେଳେ ଏହାକୁ ତୁରନ୍ତ ଅଟକାଇବାକୁ ଅବିଭାବକ ମହଲରେ ଦାବୀ କରାଯାଇଥିଲା । ବଲାଙ୍ଗିରର ଜିଲ୍ଲାପାଲ ଏଥିରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଅନୁରୋଧ କରାଯାଇଛି ।
ଶିକ୍ଷକ ମୁକେଶ କୁମାର ସାହା ପ୍ରାରମ୍ଭିକ ସୂଚନା ତଥା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳ ବୈମେନ୍ଦ୍ର ଚୋପଦାର ଧନ୍ୟବାଦ ଅର୍ପଣ କରିଥିଲେ । ରୋହିତ କଠାର, ଅନନ୍ତ ପୋଢ଼, ରଶ୍ମିତା ମେହେର, ଖୁସୀରାମ ପୁଟେଲ, ଜିତେନନ୍ଦ୍ର ବେହେରା ଓ ଲଲିତା ପଧାନ ପ୍ରମୁଖ ସହଯୋଗ କରିଥିଲେ ।