- ୨୯ରୁ ବିଭିନ୍ନ ପ୍ରତିଯୋଗିତା, ୧ରେ ର୍ୟାଲି, ସାଂସ୍କୃତିକ କାର୍ଯ୍ୟକ୍ରମ
- ଆମ ଭିତରେ କୌଣସି ଫାଟ ନାହିଁ, ଏକ ହୋଇ ପାଳନ କରିବୁ ବଲାଙ୍ଗିର୍ ଦିନ୍ – ଗୋପାଲଜୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର୍ ଦିନ୍ ଅୟୋଜକ କମିଟି ମଧ୍ୟରେ କୌଣସି ଫାଟ ହୋଇନାହିଁ । ଗୋଟିଏ ପରିବାର ଥିଲେ, ଭାଇ ଭାଇ ମଧ୍ୟରେ ସାମାନ୍ୟ ମତାନ୍ତର ହେବା ସ୍ୱାଭାବିକ । ଏହା ବଲାଙ୍ଗିର୍ ଦିନ୍କୁ ପ୍ରଭାବିତ କରିବ ନାହିଁ । ଆମେ ସମସ୍ତେ ଏକ ହୋଇ ବଲାଙ୍ଗିର ଦିନ୍ ପାଳନ କରିବୁ ବୋଲି ଆଜି ସ୍ଥାନୀୟ ଅମଲା ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଦିନ୍ ଅୟୋଜକ କମିଟିର ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ବଲାଙ୍ଗିର୍ ଦିନ୍ ପାଳନ ଉପଲକ୍ଷେ ଆସନ୍ତା ୨୯ ତାରିଖରୁ ବିଭିନ୍ନ ପ୍ରତିଯୋଗିତା କରାଯାଉଥିବା ବେଳେ ୧ ତାରିଖ ସକାଳୁ କଳାମଣ୍ଡଳଠାରୁ ଏକ ଭବ୍ୟ ର୍ୟାଲି ବାହାରି ସହର ପରିକ୍ରମା କରିବ । ସଂନ୍ଧ୍ୟାରେ ବିଭିନ୍ନ ଜନ ପ୍ରତିନିଧିଙ୍କ ସହ ବଲାଙ୍ଗିର ଦଶା ଓ ଦିଶାକୁ ନେଇ ଏକ ସଭା କରାଯିବା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କାର୍ଯ୍ୟକ୍ରମର ସବିଶେଷ ବିବରଣୀ ଦେଇ ସେ ଆହୁରି କହିଛନ୍ତି ଯେ, ୨୯ ତାରିଖ ଦିନ ସ୍ଥାନୀୟ ଟାଉନ ହଲ ଠାରେ ସକାଳୁ ୧୦ଟାରୁ ନୃତ୍ୟ ପ୍ରତିଯୋଗିତା, ୨ଟାରୁ କୋସଲି ପିନ୍ଧେନ ଉଢେନ ପ୍ରତିଯୋଗିତା, ୩ଟାରୁ ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପରେ ରଙ୍ଗୋଲି ପ୍ରତିଯୋଗିତା, ୪ଟାରେ ହୁଲାହୁଲି ପ୍ରତିଯୋଗିତା ଅନୁଷ୍ଠିତ ହେବ । ପରବର୍ତ୍ତି ଦିନ ୩୦ ତାରିଖ ସଂନ୍ଧ୍ୟା ୫ଟାରୁ ଟାଉନ ବାଳିକା ବିଦ୍ୟାଳୟ ଠାରେ ଆମର ପିଠା ପଣା ପ୍ରତିଯୋଗିତା ଓ ୩୧ ତାରିଖ ଦିନ ସଇଁନ୍ତଲା ବ୍ଲକ ଘୁନସର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା କାର୍ଯ୍ୟକ୍ରମ ରହିଛି । ସେହିପରି ନଭେମ୍ବର ୧ ତାରିଖ ସଂନ୍ଧ୍ୟାର ସ୍ଥାନୀୟ କଳାମଣ୍ଡଳ ଠାରେ ହେବାକୁ ଥିବା ବଲାଙ୍ଗିର ଦିନ୍ ସଭାରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ହାଉସିଂ ବୋର୍ଡ ଚେଆରମ୍ୟାନ କଳିକେଶ ସିଂହଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଥିବା ସୂଚନା ଦେଇଥିଲେ । ଏହି ଅବସରରେ ସମସ୍ତ ବଲାଙ୍ଗିରବାସୀ, ସାମଜିକ ଓ ବୈବସାୟିକ ସଂଗଠନ, ଛାତ୍ର, ଯୁବକ, କୃଷକ, ଶ୍ରମିକଙ୍କୁ ଏକ ହୋଇ ବଲାଙ୍ଗିର ଦିନ୍ ପାଳନ କରିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ କରିଛନ୍ତି । ଏହି ସମ୍ମିଳନୀରେ ସରିତା ଦାଶ, ମୁରଲିଧର ପତି, ଗୋପାଲ ପ୍ରଧାନ, ମନୋରଞ୍ଜନ ସାହୁ, ଲୋଟସ ପାଣିଗ୍ରାହୀ, ଦିନେଶ ଅଗ୍ରୱାଲ, ପ୍ରତାପ ଚନ୍ଦ୍ର ରଥ ଓ ସୁରୁଲାଲ ମଟାରୀ ମଞ୍ଚାସୀନ ଥିବା ବେଳେ ସୋମନାଥ ମିଶ୍ର, ନୂତନ ଦାଶ, ବିନୋଦ କାଲସାଏ ଓ ଅଙ୍କୁଶ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ବଲାଙ୍ଗିର ଦିନ୍ ପାଳନ ବଲାଙ୍ଗିରର ଅସ୍ମିତା, ଏକତା ଓ ଭାଇଚାରାର ବାର୍ତ୍ତାବହନ କରୁଥିବା ବେଳେ ଏଥିରେ କୌଣସି ପ୍ରକାରର ଦ୍ୱନ୍ଦ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।