jayashree

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭା ପାନପୋଷ ଉପଖଣ୍ଡ କୃଷି ବିଭାଗ ସଭାଗୃହରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ଯୋଗଦେଇ ଆଲୋଚନାର ପ୍ରସଙ୍ଗ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଆଲୋଚନା କରିଥିଲେ । ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ଗୁରୁତ୍ୱ ଭୂମିକା ସମ୍ପର୍କରେ କହିବା ସହ ମଣିଷର ବୁଦ୍ଧିମତା ସର୍ବଦା ସର୍ବୋଚ୍ଚ ସ୍ଥାନରେ ରହିବ ଏବଂ କୃତ୍ରିମ ବୁଦ୍ଧିମତା ଏହାର ବିକଳ୍ପ ନୁହେଁ ବୋଲି କହିଥିଲେ । କୃତ୍ରିମ ବୁଦ୍ଧିମତାକୁ ସ୍ୱାସ୍ଥ୍ୟଗତ ସୁବିଧା ସହିତ ପ୍ରତିରକ୍ଷା କ୍ଷେତ୍ରରେ ବହୁଳ ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଥିଲେ । ସମ୍ମାନିତ ଅତିଥିଭାବେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଚନ୍ଦ୍ରକାନ୍ତ ମଲ୍ଲିକ ଯୋଗଦେଇ ମଣିଷ ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରର ଜନକ ହୋଇଥିବାରୁ ପ୍ରଯୁକ୍ତି ବିଦ୍ୟା ବା ଯନ୍ତ୍ର ମଣିଷର ନିୟନ୍ତ୍ରଣାଧୀନ ରହିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପାନପୋଷ ଉପଖଣ୍ଡ କୃଷି ବିଭାଗ ଅଧିକାରୀ ରିଲିଜିଅସ୍‌ ବେକ୍‌ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ଆବଶ୍ୟକତା ରହିଛି ବୋଲି କହିବା ସହ ଆବଶ୍ୟକତା ସମୟରେ ଏହାର ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ । ମହେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ରାଜା ମହାନ୍ତି, କୁଞ୍ଜ ବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ବିବେକାନନ୍ଦ ଦାସ, ଦେବବ୍ରତ ପଟ୍ଟନାୟକ ଓ ଚିତ୍ତରଞ୍ଜନ ବ୍ରହ୍ମା ପ୍ରମୁଖ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏଥିରେ ରାଉରକେଲା ସହରର ବିଭିନ୍ନ ବର୍ଗର ସାମ୍ବାଦିକମାନେ ଯୋଗଦେଇଥିଲେ । ଶେଷରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଏକ୍କା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.