- ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ବିଜ୍ଞାନର ଦୃତ ପ୍ରଗତି ଆଜିର ସମୟରେ ମାନବତା ପାଇଁ ଏକ ଆହ୍ୱାନ ହୋଇପଡିଛି । ବିଜ୍ଞାନର ବିଭିନ୍ନ ଉଦ୍ଭାବନ ସାଧାରଣ ଲୋକଙ୍କ ସହାୟତା କରିବା ବଦଳରେ ଲୋକଙ୍କୁ ସମସ୍ୟାରେ ପକାଉଛି । ଆଜିର ଦୃତ ପ୍ରଗତିଶୀଳ ଯୁଗରେ ମଣିଷର ମାନସିକତାକୁ କବଳିତ କରିବାକୁ ଆଗେଇ ଆସିଛି କୃତ୍ରିମ ମେଧା ବା ଆର୍ଟିଫିସିଆଲ ଇଣ୍ଟେଲିଜେନସ । ଏହାର ଅସଦ ବ୍ୟବହାର ହୁଏତ ଆଗାମୀ ସମୟରେ ମାନବତା ପାଇଁ ସଂକଟର କାରଣ ହୋଇପାରେ ମାତ୍ର ଏହା ଗଣମାଧ୍ୟମର ସୃଜନଶୀଳତାକୁ କୌଣସି ପ୍ରକାର ପ୍ରଭାବିତ କରିବାର ସମ୍ଭାବନା ନାହିଁ । ଗଣମାଧ୍ୟମ ସତର୍କ ଓ ସଚେତନ ହୋଇ କାମ କଲେ କୃତ୍ରିମ ମେଧା ଭିତରେ ବି ସୃଜନଶୀଳତା ବଜାୟ ରହିବ ବୋଲି ମତ ପ୍ରକାଶ ପାଇଛି ଆଜି ସାମ୍ବାଦିକ ଭବନଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ୱାଦିକ ସଂଘର ମିଳିତ ଆୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃତ୍ରିମ ମେଧା ଯୁଗରେ ଗଣମାଧ୍ୟମ ଶୀର୍ଷକ ଆଲୋଚନାଚକ୍ରରେ ବରେଣ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରେମଚାନ୍ଦ ମହାନ୍ତି ଯୋଗ ଦେଇଥିଲେ । ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଦେବୀ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ସଂଘ ତରଫରୁ ସଂଗଠନ ସଂପାଦକ ଶରତ ଚନ୍ଦ୍ର ମିଶ୍ର, ବରିଷ୍ଠ ସଦସ୍ୟ ନବୀନ ପଶାୟତ, ଆନନ୍ଦ ଚନ୍ଦ୍ର ସାହୁ ଓ ପ୍ରଦୀପ୍ତ ମିଶ୍ର ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକରୀ ସରୋଜ କୁମାର ସାହୁ ଦିବସ ପାଳନର ତାପ୍ତର୍ଯ୍ୟ ବୁଝାଇଥିବା ବେଳେ ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ବଳରାମ ମିଶ୍ର, ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।