ସାନଖେମୁଣ୍ଡିରେ ଜାତୀୟ ପ୍ରେସ ଦିବସ ଧୁମ୍‌ଧାମ୍‌ରେ ପାଳିତ

ସାନଖେମୁଣ୍ଡି, (କେପିଏନ୍‌ଏସ୍‌) : ନଭେମ୍ବର ୧୬ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଠାରେ ପ୍ରେସ କ୍ଲବ୍‌ ପକ୍ଷରୁ ଏକ ଆଲୋଚନାଚକ୍ରର ଆୟୋଜନ ସହ ଆମନ୍ତ୍ରିତ ଅଞ୍ଚଳ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ବରିଷ୍ଟ ବୁଦ୍ଧିଜୀବୀଙ୍କ ମିଳିତ ସମାବେଶର ଆୟୋଜନ ହୋଇଥିଲା । ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଆଜିର ପ୍ରେସ ଦିବସର ଅନୁଚିନ୍ତା ଏବଂ ସାମ୍ବାଦିକଙ୍କ ସମସ୍ୟା ଓ ସାମାଜିକ ସୁରକ୍ଷାକୁ ନେଇ କରାଯାଇଥିବା ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ସାମ୍ବାଦିକ, କ୍ଷୁଦ୍ର ଓ ମଧ୍ୟମ ବର୍ଗ ସମ୍ବାଦପତ୍ର ସଂଘ ସଭାପତି ତଥା ସାପ୍ତାହିକ ଓଡ଼ିଆ ସମ୍ବାଦପତ୍ର ‘ନବୀନ’ର ସମ୍ପାଦକ ରବି ରଥ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ‘ପରିବର୍ତ୍ତନ’ ଖବର କାଗଜ ସମ୍ପାଦକ ରମାକାନ୍ତ ପରିଜା ଏବଂ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅଜୟ କୁମାର ଦାସ ଯୋଗଦେଇ ସାଂପ୍ରତିକ ସମୟର ଗଣତାନ୍ତ୍ରିକ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ବିକଳ ଚିତ୍ରରେ ପ୍ରତିନିଧିଙ୍କ ଭୂମିକାକୁ ନେଇ ନିଜନିଜ ଓଜସ୍ୱିନୀ ଅଭିବ୍ୟକ୍ତି ରଖିଥିଲେ । ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ଲାଘବ କରିବାକୁ ଥିବା ଗଣମାଧ୍ୟମ ଗୁଡ଼ିକ ସମ୍ପ୍ରତି ସରକାରୀ ଭାଟ୍ଟ ସାଜୁଥିବା କାରଣରୁ ସମ୍ବାଦପତ୍ର କ୍ଷେତ୍ରକୁ ଶିଳ୍ପରେ ପରିଣତ କରି କର୍ପୋରେଟଙ୍କୁ ସ୍ୱାଗତ କରିବା ଆଗାମୀ ଦିନର ଗଣତାନ୍ତ୍ରିକ ସାମାଜିକ ବ୍ୟବସ୍ଥାରେ ବିକଟ ଚିତ୍ର ପ୍ରଦାନ କରିବା ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ପ୍ରଶାସନିକ ଓ ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କ ମାଲିକାନାରେ ଥିବା ପ୍ରମୁଖ ସମ୍ବାଦପତ୍ର ନିଜର ସ୍ୱାର୍ଥ ହାସଲ ପାଇଁ ଗଣମାଧ୍ୟମକୁ ଉପଯୋଗ କରୁଥିବାରୁ ଚତୁର୍ଥ ସ୍ତମ୍ଭ କଳୁଷିତ ହେବା ସହ ସାମ୍ବାଦିକଙ୍କ ସମସ୍ୟା ଓ ସାମାଜିକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତଏବ ଏହି ସମସ୍ୟାର ସମାଧାନ ନେଇ ସଂଘୀୟ ବ୍ୟବସ୍ଥାର ବିକଳ୍ପ ରାସ୍ତା ଆପଣାଇବାକୁ ବର୍ଷୀୟାନ ସାମ୍ବାଦିକ ରବି ରଥ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଥିଲେ । ସମାଜର ସର୍ବନିମ୍ନ ବର୍ଗଙ୍କ ଠାରେ ଥିବା ସମସ୍ୟାର ସମାଧାନ ଦିଗରେ ସାମ୍ବାଦିକଙ୍କ ଭୂମିକା ରହୁଥିବାରୁ କର୍ମଜୀବୀ ସାମ୍ବାଦିକ ହିସାବରେ ଏହି ବର୍ଗଙ୍କ ହିତରେ ସର୍ବଦା କାମ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ ।
ଅନ୍ୟକ୍ରମରେ ପ୍ରେସ କ୍ଲବ ଦ୍ୱାରା ଆହୂତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀ ଜନପ୍ରତିନିଧିଙ୍କ ମିଳିତ ସମାବେଶରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପୌରହିତ୍ୟ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଡଃ ଶ୍ରୀନିବାସ ବେହେରା, ମୁଖ୍ୟବକ୍ତା ଭାବେ ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚୀ ମଲ୍ଲ ମଞ୍ଚାସୀନ ରହି ଉପସ୍ଥିତ ବୁଦ୍ଧିଜୀବୀ ଜନ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସମନ୍ୱୟକୁ ଗୁରୁତ୍ୱାରୋପ କରିଥିଲେ । ପ୍ରଶାସନ ସହ ଜନପ୍ରତିନିଧିଙ୍କ ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ଗଣମାଧ୍ୟମର ସମୟ ଉପଯୋଗୀ ଖବର ପ୍ରସାରଣ ଗୁରୁତ୍ୱ ରଖିଥିବାରୁ ପ୍ରକୃଷ୍ଟ ତଥ୍ୟ ଭିତ୍ତିକ ଖବର ପ୍ରସାରଣର ମହତ୍ତ୍ୱକୁ ଅବତାରଣା କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ଲୋକକଳା କଳାକାର ସଂଘ ସଭାପତି ତଥା ବରିଷ୍ଠ ଲୋକକଳା କଳାକାର ସନ୍ତୋଷ କୁମାର ପାଢ଼ୀ ନିଜ ବକ୍ତବ୍ୟରେ ପ୍ରେସ କ୍ଲବ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ଆଜିର କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟକୁ ନେଇ ସାଧୁବାଦ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ପ୍ରତିନିଧି ସଞ୍ଜୟ କୁମାର ନାହାକ, ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ଅମିନ ପ୍ରଧାନ, ଶଙ୍କର୍ଷଣ ସ୍ୱାଇଁ, ରାଜୀବ ପାତ୍ର ପ୍ରମୁଖଙ୍କ ସହ ବହୁ ସରପଞ୍ଚ , ସମିତି ସଭ୍ୟଙ୍କ ସହ ଶତାଧିକ ଅଞ୍ଚଳ ବୁଦ୍ଧିଜୀବୀ ଉପସ୍ଥିତ ରହି ଆୟୋଜିତ ଆଜିର କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ବରିଷ୍ଟ ସାମ୍ବାଦିକ ସନ୍ତୋଷ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ପଦ୍ମଲୋଚନ ପାଣିଗ୍ରାହୀ, ବିଜୟ କୁମାର ପ୍ରଧାନ, ପ୍ରଫୁଲ୍ଲ ସାବତ, ଅଶୋକ କୁମାର ସାହୁ, ଆରତ କୁମାର ହୋତା, ଶିବ ଶଙ୍କର ସ୍ୱାଇଁ, ରଘୁନାଥ ନାୟକ ପ୍ରମୁଖ ଅଂଶଗ୍ରହଣ ସହ ପରିଚାଳନା କରିଥିଲେ ।

Leave A Reply

Your email address will not be published.