oom

ବଲାଙ୍ଗିରରେ ଜାତୀୟ ପ୍ରେସ୍‌ ଦିବସ ପାଳିତ : ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମତ ରଖିଲେ ଜିଲ୍ଲାପାଳ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳନ ଅବସରରେ ମତ ରଖିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାଂବାଦିକ ସଂଘର ମିଳିତ ଆୟୋଜନରେ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୨ ପାଳିତ ହୋଇଯାଇଛି । ଜିଲ୍ଲା ସାଂବାଦିକ ସଂଘର ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଲକର ଯୋଗଦାନ କରିଥିବା ବେଳେ ସଭା ପରିଚାଳନା କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ । ଅତିଥିମାନଙ୍କ ସହ ଜିଲ୍ଲା ସାଂବାଦିକ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥୀ ମଧ୍ୟ ମଂଚାସୀନ ଥିଲେ । ଜିଲ୍ଲା ସାଂବାଦିକ ସଂଘ ସଭାପତି ଶ୍ରୀ ପରିଡ଼ା ପ୍ରଥମେ ସ୍ୱାଗତ ଅଭିଭାଷଣ ଦେବା ସହ ଏହି ସମାରୋହର ଉଦ୍ଦେଶ୍ୟ ତଥା ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ପୂର୍ବରୁ ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ଆନଂଦ ଚଂଦ୍ର ସାହୁ, ସୁଧୀର କୁମାର ମିଶ୍ର, ଅରୁଣ କୁମାର ମିଶ୍ର, ବିଶ୍ୱଜିତ ଦାଶ, ବୀରେନ୍ଦ୍ର କୁମାର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ବିଭୂକଲ୍ୟାଣ ଗଡ଼ତ୍ୟା ପ୍ରମୁଖ ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଣା ନିଜ ଅଭିଭାଷଣରେ କହିଥିଲେ ଯେ, ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଏହାର ଚତୁର୍ଥ ସ୍ତମ୍ଭ ‘ଗଣମାଧ୍ୟମ’ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି । ରାଷ୍ଟ୍ରର ସାମୂହିକ ସମୃଦ୍ଧି ଓ ସ୍ୱଚ୍ଛତା କ୍ଷେତ୍ରରେ ଗଣମାଧ୍ୟମ ସଫଳ ଯୋଗଦାନ ଦେଇଆସିଛି । ନିଜ ବକ୍ତବ୍ୟରେ ବଲାଙ୍ଗିରର ସାମ୍ବାଦିକତାକୁ ଜିଲ୍ଲାପାଳ ଶ୍ରୀ ରାଣା ପ୍ରଶଂସା କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଷ୍ଟ୍ର ନିର୍ମାଣରେ ଗଣତନ୍ତ୍ରର ଭୂମିକା ନିଶ୍ଚିତ ଭାବେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେହିକ୍ରମରେ ବଲାଙ୍ଗିରର ସାମ୍ବାଦିକତା ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଜିଲ୍ଲା ସାଂବାଦିକ ସଂଘର ସାଧାରଣ ସଂପାଦକ ଶ୍ରୀ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଜିଲ୍ଲା ସାଂବାଦିକ ସଂଘର ସଭ୍ୟସଭ୍ୟା,ଜିଲ୍ଲା ପ୍ରେସ କ୍ଲବର ସଦସ୍ୟ ତଥା ଅନ୍ୟ କାର୍ୟ୍ୟରତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.