ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଲା ପୋଲିସ : ଅସଫଳ ପ୍ରେମକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ତିନି ରାଉଣ୍ଡ ଗୁଳି ଫୁଟାଇଥିଲେ ବିକ୍ରମ, ଦେଶୀ ବନ୍ଧୁକ, ତିନୋଟି ଖୋକା, ଛୁରୀ ଓ ଗାଡ଼ି ଜବତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଙ୍ଗଳବାର ଦିନ ପୂର୍ବାହ୍ନରେ ସହରର ଶାନ୍ତିପଡ଼ାରେ ଘଟିଥିବା ଉନ୍ମତ୍ତ କାଣ୍ଡ ବିଷୟରେ ସବିଶେଷ ତଥ୍ୟ ରଖିଛି ପୋଲିସ । ସ୍ଥାନୀୟ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅସଫଳ ପ୍ରେମକୁ ନେଇ ପ୍ରେମିକ ବିକ୍ରମ ଉନ୍ମତ୍ତ କାଣ୍ଡ ଘଟାଇଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ନିଜ ପ୍ରେମିକାଙ୍କୁ ଫେରି ପାଇବା ଏକ ମାତ୍ର ଉଦ୍ଦେଶ୍ୟ ଥିବା ବେଳେ ଅନ୍ୟ କାହାର କିଛି କ୍ଷତି କରିବାର କୌଣସି ଉଦ୍ଦେଶ୍ୟ ନଥିବା ଅଭିଯୁକ୍ତ ବିକ୍ରମ ପୋଲିସକୁ କହିଛି । ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଖୋକା, ଗୋଟିଏ ଛୁରୀ ଓ ବ୍ୟବହୃତ ବାଇକ୍‌ ଜବତ୍‌ କରିବା ସହ ଅଭିଯୁକ୍ତ ବିକ୍ରମଙ୍କ ବିରୋଧରେ ଦୁଇଟି ପୃଥକ୍‌ ମାମଲା ରୁଜୁ କରିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମଙ୍ଗଳବାର ପୂର୍ବାହ୍ନ ପାଖାପାଖି ୯ଟା ସମୟରେ ପୋଲିସ ପେଟ୍ରୋଲିଂ ଟିମ୍‌ ପାଖକୁ ଏହି ଘଟଣା ସଂକ୍ରାନ୍ତରେ ଏକ କଲ୍‌ ଆସିଥିଲା । ଜଣେ ଯୁବକ ଶାନ୍ତିପଡ଼ା ନିବାସୀ ଦିବ୍ୟଲୋଚନା ହୋତାଙ୍କ ଘରକୁ ପଶି ବନ୍ଧୁକ ମୁନରେ ପରିବାରକୁ ବନ୍ଧକ ରଖିଥିବା ସହିତ ତାଙ୍କ ଭାଣଜୀଙ୍କୁ ଘଟଣା ସ୍ଥଳକୁ ଡକାଇବା ପାଇଁ ଦାବୀ କରୁଥିବା କଲ୍‌ ମାଧ୍ୟମରେ ସୂଚନା ଦିଆଯାଇଥିଲା । ଏସ୍‌ଆଇ ଖଗେଶ୍ୱର ଖୋସ୍‌ଲା ସୂଚନା ପାଇ ଘଟଣା ସ୍ଥଳକୁ ପହଂଚିଥିଲେ । ସେହି ସମୟରେ ବନ୍ଧକ ପରିବାର ନିଜକୁ ରୁମ୍‌ରେ ବନ୍ଦ କରି ଦେଇଥିବା ବେଳେ ଅଭିଯୁକ୍ତ ବିକ୍ରମ ଅନ୍ୟ ରୁମ୍‌ରେ ନିଜକୁ ବନ୍ଧ କରି ରଖିଥିବା ଦେଖିବାକୁ ପାଇଥିଲେ । ଅଭିଯୁକ୍ତକୁ ବୁଝାବୁଝି କରିବାରୁ ଅଭିଯୁକ୍ତ ଜଣକ ଶ୍ରୀ ହୋତାଙ୍କ ଭାଣଜୀ ଓ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଡକାଇବା ପାଇଁ ଜିଦ୍‌ ଧରିଥିଲେ । ଅଭିଯୁକ୍ତ ବିକ୍ରମର ଦାବୀ ଅନୁସାରେ ଟାଉନ୍‌ ଥାନା ଆଇଆଇସି. ପ୍ରିୟଙ୍କା ରାଉତରାୟ ଓ ସଦର୍‌ ଏସ୍‌ଡିପିଓ ତୋଫାନ ବାଗ ଘଟଣା ସ୍ଥଳକୁ ପହଂଚି ବିକ୍ରମକୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ବିକ୍ରମ କାହାରି କଥା ଶୁଣିବାକୁ ଚାହିଁ ନଥିବା ବେଳେ ପ୍ରାୟ ସାଢେ଼ ୧୨ଟା ସମୟରେ ବିରକ୍ତି ପ୍ରକାଶ କରି ଏକ ଗୁଳି ଫୁଟାଇଥିଲା । ସ୍ଥିତି ଅନୁଧ୍ୟାନରୁ ହୋତା ପରିବାର ଅନ୍ୟ କୋଠରୀରେ ସୁରକ୍ଷିତ ଥିବା ଜଣାପଡ଼ିଥିଲା । ଏସ୍‌ଡ଼ିପିଓ ଶ୍ରୀ ବାଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ପଛପଟ ଝର୍କାରୁ ବନ୍ଧକ ପରିବାରକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିବା ପାଇଁ ଧମକ୍‌ ଦେଉଥିବା ବେଳେ ଅଭିଯୁକ୍ତ ବିକ୍ରମକୁ କିପରି ଅକ୍ଷତ ଭାବେ କାବୁ କରାଯିବ ସେ ନେଇ ପୋଲିସ ଉଦ୍ୟମ କରିଥିଲା । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଘଟଣାସ୍ଥଳକୁ ପହଂଚି ବିକ୍ରମକୁ ଆତ୍ମ ସମର୍ପଣ ପାଇଁ ବୁଝାସୁଝା କରିବା ସହ ଏଥିରେ ବିକ୍ରମର ମା’, ଭାଇ ଓ ଅନ୍ତରଙ୍ଗ ସାଂଗ ମାନଙ୍କ ସହାୟତା ନେଇଥିଲେ । ସମସ୍ତେ ବୁଝାଇବା ପରେ ମଧ୍ୟ ବିକ୍ରମ ପ୍ରେମିକାକୁ ଘଟଣା ସ୍ଥଳକୁ ଡକାଇବା ପାଇଁ ଜିଦ୍‌ ଧରି ବସିଥିଲା । ପୋଲିସ ପକ୍ଷରୁ ପ୍ରେମିକାଙ୍କୁ ଡକାଇବାକୁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା । ପରେ ପରେ ପୋଲିସ ବିକ୍ରମକୁ କାବୁ କରିବା ପାଇଁ ମିଶନ୍‌ ଆରମ୍ଭ କରିଥିଲା । ପଛପଟ କୋଠରୀରେ ଏସ୍‌ଡିପିଓ ଶ୍ରୀ ବାଗଙ୍କ ନେତୃତ୍ୱରେ ଏକ ଦଳ ଓ ସାମ୍‌ନା ପଟେ ଏସ୍‌ପି ଶ୍ରୀ କୁଶଲ୍‌କରଙ୍କ ନେତୃତ୍ୱରେ ଏକ ଟିମ୍‌ ବିକ୍ରମକୁ କାବୁ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ଏହି ସମୟରେ ବିକ୍ରମ ଆଉ ଏକ ଗୁଳି ଫୁଟାଇଥିଲା । ପରବର୍ତ୍ତୀ ଗୁଳି ଲୋଡ୍‌ କରିବା ସମୟରେ ଉଭୟ ପଟରୁ ପୋଲିସ ଏକା ଥରକେ ବିକ୍ରମ ଉପରକୁ ମାଡ଼ି ବସି ତାକୁ କାବୁ କରିବାରେ ସଫଳ ହୋଇଥିଲା । ବିକ୍ରମକୁ ଗିରଫ୍‌ କରି ଥାନାକୁ ଅଣାଯାଇଥିବା ବେଳେ ଏକ ତଦନ୍ତକାରୀ ଦଳ ଘଟଣା ସ୍ଥଳରୁ ଦୁଇଟି ଖୋକା, ଗୋଟିଏ ଛୁରୀ, ବାଇକ୍‌ ଜବତ୍‌ କରିଥିଲେ । ଅନ୍ୟ ଏକ ଖୋକା ବିକ୍ରମ ବ୍ୟବହାର କରୁଥିବା ଦେଶୀ ବନ୍ଧୁକରେ ମହଜୁଦ୍‌ ଥିବା ପୋଲିସ ସୂଚନା ଦେଇଛି ।

ତେବେ ବନ୍ଧକ ଦିବ୍ୟଲୋଚନା ହୋତା ଓ ବଲାଙ୍ଗିର ପୋଲିସ ପକ୍ଷରୁ ଅଭିଯୁକ୍ତ ବିକ୍ରମ ବିରୁଦ୍ଧରେ ଦୁଇଟି ପୃଥକ୍‌ ମାମଲା ରୁଜ୍ଜୁ କରାଯାଇଛି । ଟାଉନ ଥାନା ପକ୍ଷରୁ ମାମଲା ନଂ.୩୩୩/୧୫.୦୬.୨୦୨୧, ଦଫା ୩୪୨, ୪୫୦, ୩୫୩, ୨୯୪, ୫୦୬, ୩୦୭ ଆଇପିସି ୨୫୨୭ ଆର୍ମ୍ସ ଆକ୍ଟ ଲଗାଯାଇଥିବା ବେଳେ ଶ୍ରୀ ହୋତାଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ମାମଲା ନଂ.୩୩୪/୧୫.୦୬.୨୦୨୧ ରୁଜ୍ଜୁ କରାଯାଇଛି । ଆଜି ସକାଳୁ ପୋଲିସ ବିକ୍ରମର ଡାକ୍ତରୀ ମାଇନା କରିବା ସହ ଆହୁରି ତଦନ୍ତ ଜାରି ରଖିଛି । ଆଜି ଅଭିଯୁକ୍ତ ବିକ୍ରମ ପଣ୍ଡାକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.