ପ୍ୟାର୍‌ କେ ଲିଏ କୁଛ୍‌ ଭି କରେଗା : ପ୍ରେମକୁ ନେଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ

  • ଶେଷରେ ପ୍ରତୀକ୍ଷାର ଅନ୍ତ ହେଲା : ପୋଲିସ କାବୁ କଲା ବଂଧୁକଧାରୀ ବିକ୍ରମକୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ୟାର୍‌ କେ ଲିଏ କୁଛ୍‌ ଭି କରେଗା । ପ୍ରେମ ପାଇଁ ଉନ୍ମତ୍ତ କାଣ୍ଡ ଭିଏଁଇଥିଲା ଯୁବକ । ପାଖାପାଖି ଦୀର୍ଘ ୫ ଘଂଟାର ଉଦ୍ୟମ ପରେ ପୋଲିସ କାବୁ କରିବାରେ ସଫଳତା ପାଇଲା । ସ୍ଥାନୀୟ ଶାନ୍ତିପଡ଼ାର ଚନ୍ଦ୍ରଶେଖର ମନ୍ଦିର ସମ୍ମୁଖ ମଦନ ମୋହନ ହୋତାଙ୍କ ଘର ଭିତରକୁ ଆଜି ପୂର୍ବାହ୍ନ ପାଖାପାଖି ୯ଟା ସମୟରେ ପଶି ବନ୍ଧୁକ ମୁନରେ ପରିବାର ସଦସ୍ୟଙ୍କୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ ବିକ୍ରମ ପଣ୍ଡା । ତେବେ ଟାଉନ୍‌ ଥାନା ପୋଲିସର ଉଦ୍ୟମ ଫଳରେ ବନ୍ଧକ ଥିବା ଘରର ୩ ଜଣ ସଦସ୍ୟଙ୍କୁ ଝର୍କା ଦେଇ ଉଦ୍ଧାର କରାଯାଇଥିବା ବେଳେ ଦୁର୍ବୃତ୍ତକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲା । ସବୁ ଆଲୋଚନା ବିଫଳ ହେବା ପରେ ପୋଲିସ ଉନ୍ମତ୍ତ ଯୁବକକୁ କାବୁ କରିବାରେ ସଫଳ ହେବା ସହ ତାକୁ ଗିରଫ୍‌ କରି ଅଧିକ ତଦନ୍ତ ପାଇଁ ଟାଉନ୍‌ ଥାନାକୁ ନେଇଛି ।

ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏହି ଘଟଣା ଏକ ଡକାୟତି ଘଟଣା ବୋଲି ମନେ ହେଉଥିଲା । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଂଚି ଘରକୁ ଘେରାବନ୍ଦି କରିଥିଲା । ପୋଲିସର ହଲ୍‌ଚଲ୍‌ ଦେଖି ଅଂଚଳରେ ସାରା ସହରବାସୀ ଉକ୍ରଣ୍ଠାର ସହ ଜଗି ରହିଥିଲେ । ଘଟଣାରେ ୩ ଜଣ ବନ୍ଧକ ରହିଥିବା ବେଳେ ସାମ୍‌ନାରେ ଲୋକଙ୍କ ମେଳା ଲାଗିଥିଲା ।

ଉନ୍ମତ୍ତ ଯୁବକର ଚିହ୍ନା ପରିଚିତ ଧୀରେ ଧୀରେ ଘଟଣା ସ୍ଥଳରେ ପହଂଚିବା ପରେ ଘଟଣାଟି ଫର୍ଦ୍ଦ ପରେ ଫର୍ଦ୍ଦ ଖୋଲିବାକୁ ଆରମ୍ଭ ହୋଇଥିଲା । ପ୍ରଥମେ ଡକାୟତି କୁହାଯାଉଥିବା ଘଟଣାଟି ପ୍ରେମ, ପ୍ରତାରଣା ଆଡ଼କୁ ମୁହାଁଇଲା । ସୂଚନାରୁ ପ୍ରକାଶ ଯେ, ଉନ୍ମତ୍ତ ଯୁବକ ଜଣକ ତାଲପାଲିପଡ଼ା ନିବାସୀ ବିକ୍ରମ ପଣ୍ଡା ପେଲେସ ଲାଇନ୍‌ ଠାରେ ଏକ ଇନ୍‌ଟର୍‌ନେଟ୍‌ ପାର୍‌ଲର୍‌ କରିଛନ୍ତି । ଭିଡ଼ ଭିତରୁ ଶୁଣିବାକୁ ମିଳିଥିଲା, ଦୁଇ ତିନି ବର୍ଷ ପୂର୍ବରୁ ବନ୍ଧକ ପରିବାରର ଜଣେ ସଂପର୍କୀୟ ଯୁବତୀଙ୍କ ସହିତ ବିକ୍ରମର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉକ୍ତ ସଂପର୍କକୁ ନେଇ ପରିବାର ଲୋକେ ନାରାଜ୍‌ ଥିବା ବେଳେ ବିକ୍ରମକୁ ବାରମ୍ବାର ତାଗିଦ୍‌ କରିଥିଲେ । ପରିବାର ଲୋକଙ୍କ ଆକଟରେ ଧୀରେ ଧୀରେ ଯୁବତୀ ମଧ୍ୟ ବିକ୍ରମକୁ ପ୍ରତ୍ୟାଖ୍ୟାନ କରିଥିଲେ । ପୂର୍ବରୁ ସଂପୃକ୍ତ ଯୁବତୀଙ୍କ ବାହାଘର ପ୍ରସ୍ତାବ ମଧ୍ୟ ଏହି ଯୁବକଙ୍କ ପାଇଁ ଭାଂଗି ଯାଇଥିବା ବେଳେ କିଛି ଦିନ ତଳେ ଆଉ ଏକ ଭଲ ପ୍ରସ୍ତାବ ଆସିବା ପରେ ଯୁବତୀଙ୍କ ପିନ୍ଧାଣୀ କାର୍ୟ୍ୟକ୍ରମ ସମାପ୍ତ ହୋଇ ଯାଇଥିଲା । ଏହାକୁ କେନ୍ଦ୍ର କରି ବିକ୍ରମ ସଂପୃକ୍ତ ଯୁବତୀ ଓ ତାଙ୍କ ପରିବାରକୁ ଧମକ ଚମକ ଦେଇ ଆସୁଥିଲା । ଆଜି ସକାଳୁ ବିକ୍ରମ ଯୁବତୀଙ୍କ ସଂପର୍କୀ ଶାନ୍ତିପଡ଼ାର ହୋତା ପରିବାରଙ୍କ ଘରକୁ ପଶି ଯୁବତୀର ବାହାଘର କଲେ ସମସ୍ତଙ୍କୁ ଜୀବନରେ ମାରିଦେବି ବୋଲି ବଂଧୁକ ଦେଖାଇ ଧମକ ଦେବା ସହ ଯୁବତୀଙ୍କୁ ତୁରନ୍ତ ଡକାଇବାକୁ ଜିଦ୍‌ ଧରିଥିଲା । ଏଥିରେ ପରିବାର ଲୋକେ ଭୟଭୀତ ହୋଇ ଗୋଟିଏ କୋଠରୀ ଭିତରେ ପଶି ଭିତର ପଟୁ କବାଟ ଲକ୍‌ କରିବା ସହ ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଘଟଣା ସ୍ଥଳକୁ ପହଂଚି ଯୁବକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା । ପ୍ରଥମେ ଯୁବକଙ୍କ ମା’, ପରେ ଭାଇ ଓ ସାଂଗ ମାନଙ୍କୁ ଘଟଣା ସ୍ଥଳକୁ ଆଣି ବିକ୍ରମକୁ ବୁଝାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ବିକ୍ରମ କାହାର କଥା ଶୁଣିବାକୁ ନାରାଜ୍‌ ଥିଲା । ପରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ ଓ ଆଇଆଇସି ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଘର ପଛ ପଟ ଝରକାରୁ ବନ୍ଧକ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଘଟଣା ସ୍ଥଳକୁ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଯୁବକକୁ ଅକ୍ଷତ କାବୁ କରିବା ପାଇଁ ପ୍ରୟାସ କରିଥିଲେ । ବହୁ କଷ୍ଟ ପରେ ଯୁବକଙ୍କୁ ଅକ୍ଷତ ଅବସ୍ଥାରେ କାବୁ କରିବାରେ ପୁଲିସକୁ ସଫଳତା ମିଳିଛି ।

Leave A Reply

Your email address will not be published.

error: Content is protected !!