ବଲାଙ୍ଗିର, (କେପିିଏନ୍ଏସ୍) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କ ସକାଶେ ସ୍ୱାଗତ ସମାରୋହ ତଥା ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟରେ ପ୍ରଥମ କରି ପାଦ ଥାପିଥିବା ଛାତ୍ରୀମାନଙ୍କ ପାଇଁ ଆୟୋଜିତ ସମାରୋହଟିକୁ ନେଇ ଛାତ୍ରୀମାନଙ୍କ ମନରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ପୂର୍ବାହ୍ଣ ୧୦ଟାରେ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବା ବେଳେ ନିଜ ବକ୍ତବ୍ୟରେ ବିଭିନ୍ନ ପ୍ରସଙ୍ଗ ଯେମିତିକି ଛାତ୍ରୀଙ୍କ ସୁରକ୍ଷାପାଇଁ ଲାଗିଥିବା ସିସି ଟିଭି, ପାନୀୟଜଳ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ଶିକ୍ଷଣ କୌଶଳ ଇତ୍ୟାଦି ବିଷୟରେ ମତବ୍ୟକ୍ତ କରିଥିଲେ । ସଂସ୍କୃତ ବିଭାଗୀୟ ମୁଖ୍ୟ ଡଃ. ସଦାଶିବ ମଲ୍ଲିକ ଉତ୍ସବରେ ଯୋଗଦେଇ ମହାବିଦ୍ୟାଳୟର ଗୌରବାବହ ଇତିହାସ ସଂପର୍କରେ ଏକ ଦୀର୍ଘ ବିବରଣୀ ଉପସ୍ଥାପନ କରିଥିଲେ । ଅର୍ଥନୀତି ବିଭାଗୀୟ ମୁଖ୍ୟ ବିଭୁତି ଭୂଷଣ ସାହୁ ଏବଂ ଅଧ୍ୟାପକ ଡଃ. କୁମାର ସମ୍ଭବ ଚୋପଦାର ମଧ୍ୟ ସ୍ୱାଗତ ସମାରୋହରେ ଉପସ୍ଥିତ ନବାଗତା ଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ନିଯୁକ୍ତି ପାଇଥିବା ଅଧ୍ୟାପକ/ ଅଧ୍ୟାପିକାଗଣ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ । ଛାତ୍ରବୃତ୍ତି ବିଷୟରେ ସୂଚୀତା ଦୋରା, ପରୀକ୍ଷା ପରିଚାଳନା ବିଷୟରେ ସଂଯୁକ୍ତା କୁମାରୀ ନାୟକ, UDISE ବିଷୟରେ ସୁଶ୍ରୀ ସଙ୍ଗୀତା ଦାସ, ଆତ୍ମରକ୍ଷା କୌଶଳର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ଡଃ. ଅର୍ପିତା ବେହେରା, ପାଠ୍ୟଖସଡ଼ା ସଂପର୍କରେ ଡଃ. ସିଦ୍ଧେଶ୍ଵର ପଧାନ, ଆଭ୍ୟନ୍ତରୀଣ ଶୃଙ୍ଖଳା ବିଷୟରେ ଡଃ. ଅନୁରାଧା ମିଶ୍ର, ଶିକ୍ଷଣ କୌଶଳ ସଂପର୍କରେ ସାମ୍ରାଜ୍ଞୀ ଅଦ୍ୱିତୀୟା ମିତ୍ର ସବିଶେଷ ସୂଚନା ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସ୍ୱାଗତ ସମାରୋହକୁ ରତିକାନ୍ତ ନାଏକ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପକ ଅଜିତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
