ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ତରୀୟ ୯୧ ତମ ଓଡ଼ିଶା ଦିବସ ଓ ୩୩ ତମ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା ଦିବସ – ୨୦୨୬ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାତଃ ୪ ଟା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ସହ ସହର ପରିକ୍ରମା କରାଯାଇଥିଲା । ସକାଳ ୭.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ସହରରେ ଅବସ୍ଥାପିତ ମହାପୁରୁଷ ଓ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରଶାସନ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ଦିବା ୮ ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ୍ ସାହୁଙ୍କ ଦ୍ଵାରା ସୁବର୍ଣ୍ଣପୁର ସହର ସ୍ଥିତ ସ୍ଵଧାର ଗୃହ ଠାରେ ଅନ୍ତେବାସୀମାନଙ୍କୁ ବସ୍ତ୍ର ଓ ମିଷ୍ଠାନ ବଣ୍ଟନ, ଉତ୍କଳ ବାଳାଶ୍ରମ ଠାରେ ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କୁଷ୍ଠାଶ୍ରମ୍ ଠାରେ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ତାପରେ ଦିବା ୯.୩୦ ଘଟିକା ସମୟରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ସମାରୋହ ସୁବର୍ଣ୍ଣପୁର ଟାଉନହଲ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାପାଳ ଡ. ନୃପରାଜ୍ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସାସ୍ଥ୍ୟ ଅଧିକାରୀ, ଡା. ଉଷାରାଣୀ ଦାଶ ଓ ଉପଜିଲ୍ଲାପାଳ, ସୋନପୁର, ଡ. ସୌମ୍ୟାରୂପା ରଥ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ସଭାରେ ଡ. ଜ୍ୟୋତିରଞ୍ଜନ ବହିଦାର ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ସଭାରେ ଅତିଥିମାନେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହି ଅବସରରେ ଆମ ଓଡ଼ିଶା ରାଜ୍ୟର ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କ ଅଭିଭାଷଣରେ କହିବା ସହିତ ଓଡ଼ିଶାର ବରପୁତ୍ର ଓ ମହାପୁରୁଷ ମାନଙ୍କୁ ସ୍ମରଣ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ କରିଥିଲେ । ମୁଖ୍ୟବକ୍ତା ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ରାଜ୍ୟ ଓ ସୁବର୍ଣ୍ଣପୁର ଜିଲ୍ଲା ଗଠନ ଉପରେ ତାଙ୍କର ତଥ୍ୟ ଭିତ୍ତିକ ଅଭିଭାଷଣ ସହିତ ଓଡ଼ିଆ ଅସ୍ମିତା ଉପରେ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟ ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ତେଣୁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଦିନର ଧାର୍ଯ୍ୟ କାର୍ଯ୍ୟସୂଚୀ ଓ କାର୍ଯ୍ୟକଳାପ ଅନୁଯାୟୀ ଓଡ଼ିଶା ପକ୍ଷ ପାଳନ କରାଯିବ । ଏଣୁ ସମସ୍ତ ଜନସାଧାରଣଙ୍କୁ ଏହି ଓଡ଼ିଆ ପକ୍ଷ ପାଳନରେ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ପଞ୍ଚାୟତ ଅଧିକାରୀ ସମସ୍ତ ମଞ୍ଚାସିନ ଅତିଥିଙ୍କ ସମେତ ସମସ୍ତଙ୍କୁ ସଭାକୁ ସ୍ଵାଗତ କରିଥିବା ବେଳେ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ । ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସ୍ତରରେ ବିଦ୍ୟାଳୟ ସ୍ତରରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଭାରେ ପୁରସ୍କୃତ କରାଯାଇଥିଲା । ମହିଳା ଓ ଛାତ୍ରୀମାନଙ୍କ ମଧ୍ୟରେ ଟାଉନହଲ ଠାରେ ମୁରୁଜ ବା ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଏହି ରଙ୍ଗୋଲି ପ୍ରତିଯୋଗିତାକୁ ପ୍ରଥମେ ବୁଲି ଦେଖିବା ସହ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାର କୃତକାର୍ଯ୍ୟ ହୋଇଥିବା ମହିଳା ଓ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷ ଏହି ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ସ୍ତରରେ ରାଜ୍ୟ ଓ ଜିଲ୍ଲା ସ୍ତରର ମହାପୁରୁଷ, ବରପୁତ୍ର, ଓଡ଼ିଶାର କଳା ସଂସ୍କୃତି, ଦର୍ଶନୀୟ ସ୍ଥାନ ଇତ୍ୟାଦି ଉପରେ ଏହି ଫଟୋ ପ୍ରଦର୍ଶନୀ ଟାଉନହଲ ଠାରେ ଆୟୋଜିତ ହୋଇଥିଲା । ଶେଷରେ ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ ।