ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିିବସ ସମାରୋହ

  • ଜିଲ୍ଲାର ବିକାଶ ଦିଗରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ସଂଘର ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପ୍ରଥମେ ଦିବଂଗତ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ପାରଳାଖେମୁଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଓ ସଂଘର ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ବରିଷ୍ଠ ସଦସ୍ୟ ସତ୍ୟ ସୁନ୍ଦର ଭଞ୍ଜଙ୍କ ସଂଯାଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ପୌର ସଂସ୍ଥାର ଅଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଓ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଆକାଶବାଣୀର ଷ୍ଟେସନ ଡାଇରେକ୍ଟର ତଥା କବି ଭାଗିରଥୀ ମିଶ୍ର ଯୋଗଦେଇ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ବଲାଙ୍ଗିର ପରି ପଛୁଆ ଜିଲ୍ଲାର ବିକାଶ ଦିଗରେ ଆଗକୁ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସଭା କାର୍ଯ୍ୟ ପୂର୍ବରୁ ଜିଲ୍ଲା ସଂଘର ପରମ୍ପରା ଅନୁଯାୟୀ ସଂଘର ପ୍ରତିଷ୍ଠାତା ସତ୍ୟନାରାୟଣ ସ୍ମୃତି ସମ୍ମାନ ବରିଷ୍ଠ ସଦସ୍ୟ ସୁବାଷ ଚନ୍ଦ୍ର ପଣ୍ଡା, ଶଙ୍କର ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ କେସିଙ୍ଗାର ସୁରେଶ କୁମାର ଅଗ୍ରୱାଲ, ସପନ ବହିଦାର ସ୍ମୃତି ସମ୍ମାନ ଦୈନିକ ସମାଜର ପ୍ରତିନିଧି ବଳରାମ ମିଶ୍ର, କୌଳାସ ସାହୁ ସ୍ମୃତି ସମ୍ମାନ ସମୟ ପ୍ରତିନିଧି ପ୍ରଦୀପ୍ତ କୁମାର ମିଶ୍ର, ହୃଦାନନ୍ଦ ନନ୍ଦ ସ୍ମୃତି ସମ୍ମାନ ଲୋଇସିଂହାର ଧରିତ୍ରୀ ପ୍ରତିନିଧି ସୁଶାନ୍ତ କୁମାର ବାରିକ, ବାଳକୃଷ୍ଣ ହୋତା ସ୍ମୃତି ସମ୍ମାନ କଣ୍ଟାବାଞ୍ଜିର ସମ୍ବାଦ କନକ ଟିଭିର ପ୍ରତିନିଧି ପୁଷ୍ପକେତୁ ବେହେରାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ପୂର୍ବରୁ ସଂଘର ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥି ସଂଘ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ସଂଘର ବରିଷ୍ଠ ଉପସଭାପତି ଲକ୍ଷ୍ମୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.