
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶାସ୍ତ୍ରୀନଗର ଠାରେ ସ୍ୱେଚ୍ଛାସେବୀ ସଂଗଠନ କିରଣର ଷୋଡଶ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନରେନ୍ଦ୍ର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ଭାବେ ସମ୍ବାଦିକ ଅଖିଳ ଚନ୍ଦ୍ର ହୋତା, ସମ୍ମାନିତ ଅତିଥି ଭାବେ ୱାର୍ଡ ନଂ. ୨୧ର କାଉନସିଲର୍ ଶତୃଘନ ବାଗ୍ ଓ ମୁଖ୍ୟ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ବରେଣ୍ୟ ଅତିଥି ରୂପେ ମଂଚାସୀନ ଥିଲେ । ସମସ୍ତ ଅତିଥି କିରଣର ନିରବଚ୍ଛିନ୍ନ ସେବା ଓ ପରୋପକାରକୁ ଭୂୟସି ପ୍ରଶଂସା କରିଥିଲେ । ସଭା ଆରମ୍ଭରେ ଅନୁଷ୍ଠାନର ଆରଧ୍ୟ ଦେବତା ସୂର୍ଯ୍ୟଦେବଙ୍କ ପୂଜା ଓ ଦୀପ ପ୍ରଜ୍ଜଳନ ସହ କସ୍ତୁରୀ ରଥ ସୂର୍ଯ୍ୟ ବନ୍ଦନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କିରଣର ସଂପାଦକ ନୟନ କୁମାର ସା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ବିଶିଷ୍ଟ ଶିକ୍ଷାବିଦ୍ ସୁଶ୍ରୀ ମମତା ସ୍ୱାଇଁଙ୍କୁ ଏକ ବର୍ଷର ସେବା ସୁରଭି ସମ୍ମାନରେ ମାନପତ୍ର ଓ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କିରଣର ପ୍ରତିଷ୍ଠାତା ତଥା ସଂଗଠକ ମଧୁ ସାହୁ ଅନୁଷ୍ଠାନର ଜନ୍ମଜାତକ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭା ଆରମ୍ଭରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତାରେ ବିଚାରକ ଭାବେ ଦିଲିପ କୁମାର ସିଂହଦେଓ, ନିମାଇଁ ଚରଣ ପାଣିଗ୍ରାହୀ ଓ ବେଣୁଧର ସାହୁ ସହଯୋଗ କରିଥିଲେ । ଆଗରୁ ଅନୁଷ୍ଠିତ କୁଇଜ, ବକ୍ତୃତା ଓ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହି ଭବ୍ୟ ଉତ୍ସବରେ କିରଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୨ ଜଣ ମହିଳାଙ୍କୁ ନେଇ ଅତିଥିମାନଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ପଡାର ଶାସ୍ତ୍ରୀ ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ମହାପାତ୍ରଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭା ଶେଷରେ ବରିଷ୍ଠ ସଭ୍ୟ କବି ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ ।