ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ପ୍ରତିନିଧି ମଣ୍ଡଳୀ

  • ଓଡ଼ିଶାରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରତି ଦୃଷ୍ଟି ଦିଆଯିବ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (ରବି ରଥ) : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ସୋମବାର ଅପରାହ୍ନରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସାକ୍ଷାତ କରି ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଗଠନର ରାଜ୍ୟ ଅଧ୍ୟକ୍ଷ ରବି ରଥଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଉପସଭାପତି ସ୍ୱଦେଶ ଚନ୍ଦ୍ର ଦାସ, ଡ.ଜୀବନ କୁମାର ଦୀକ୍ଷିତ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରିବା ସହ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ନିମନ୍ତେ ଏକ ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ ପାଇଁ ଦାବି କରିଥିଲେ । ଭାରତବର୍ଷର ଅନ୍ୟ ରାଜ୍ୟ ଭଳି ସାମ୍ବାଦିକମାନଙ୍କୁ ପେନସନ, ସ୍ୱୀକୃତିପ୍ରାପ୍ତ ସମ୍ବାଦପତ୍ରଗୁଡ଼ିକୁ ରାଜଧାନୀରେ କାର୍ଯ୍ୟାଳୟ ନିମନ୍ତେ ସରକାରୀ ଗୃହ ପ୍ରଦାନ, ସରକାରୀ ସ୍ୱୀକୃତି ନିମନ୍ତେ ପଡ଼ି ରହିଥିବା ସମ୍ବାଦପତ୍ରଗୁଡ଼ିକୁ ସ୍ୱୀକୃତି ଦେବା ପାଇଁ ବ୍ୟବସ୍ଥା କରିବା, ସର୍ବନିମ୍ନ ବିଜ୍ଞାପନ ଦର କଲମ ସି.ଏମ୍‌. ପିଛା ୨୫ ଟଙ୍କା ପ୍ରଦାନ କରିବା, କ୍ରମାଗତ ଭାବରେ ୫ ବର୍ଷ ଧରି ପ୍ରକାଶ ପାଉଥିବା ସମ୍ବାଦପତ୍ରମାନଙ୍କୁ ରାଜ୍ୟ ନିୟମ ଅନୁଯାୟୀ ଅନୁମୋଦନ ପ୍ରଦାନ କରିବା, ଆର.ଏନ୍‌.ଆଇ ପଞ୍ଜିକୃତ ଖବରକାଗଜ ଗୁଡ଼ିକର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ଅନ୍ତର୍ଭୁକ୍ତ କରିବା, ଡିଏଭିପି ଆଧାରରେ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜମାନଙ୍କ ବିଜ୍ଞାପନ ଦର ନିର୍ଦ୍ଧାରଣ କରିବା ପ୍ରଭୃତି ଦାବି ସଂକ୍ରାନ୍ତରେ ବିସ୍ତୃତ ଭାବରେ ଏହି ପ୍ରତିନିଧି ମଣ୍ଡଳୀ ମାନନୀୟା ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଏ ସଂକ୍ରାନ୍ତରେ ଯଥାଶୀଘ୍ର ଆବଶ୍ୟକୀୟ ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.