ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ନିକଟସ୍ଥ ବାଞ୍ଝି ଝାଲ ଠାରୁ ଏହି ଦୌଡ ପ୍ରତିଯୋଗିତା ବାହାରି ସିଟି ସ୍କୁଲ ଖେଳ ପଡିଆ ଠାରେ ସମାପ୍ତ ହୋଇଥିଲା । ଏଥଲେଟିକ୍ ଏସୋସିଏସନ୍ ଦ୍ୱାରା ଆୟୋଜିତ ମାରାଥନ ଦୌଡ଼ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପତାକା ଦେଖାଇ ଦୌଡ ପ୍ରତିଯୋଗିତା ଆରମ୍ଭ କରିଥିଲେ । ତା’ପରେ ସମସ୍ତ ଖେଳାଳି ସିଟି ସ୍କୁଲ ଖେଳ ପଡ଼ିଆରେ ପହଞ୍ଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ସେଥିରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଆଥଲେଟିକ ଆସୋସିଏସନର ସଭାପତି ରାଧାକାନ୍ତ ପାଢ଼ୀ, ସମ୍ପାଦକ ଶୁଭ୍ରାଂଶୁ ଦାସ, ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନି, ଓମଭ୍ୟାଲି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ନିଜ ନିଜର ଉଦବୋଧନ ଦେଇଥିଲେ । ଏହି ପ୍ରତିଯୋଗିତା ଯୁବପିଢ଼ୀଙ୍କୁ କ୍ରୀଡା ପ୍ରତି ଆକର୍ଷିତ କରିବା ସହିତ ସୁସ୍ଥ, ସକ୍ରିୟ ଓ ଶୃଙ୍ଖଳିତ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ପ୍ରଦାନ କରିଥିଲା । ଏପରି କ୍ରୀଡା କାର୍ଯ୍ୟକ୍ରମ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ସହିତ ଯୁବମାନସକୁ ସକାରାତ୍ମକ ଦିଗରେ ଆଗେଇ ନେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥାଏ । ଏହି ଅବସରରେ ମାରାଥନ ପ୍ରତିଯୋଗିତାର ବିଜୟୀ ଦୌଡ଼ ବୀରମାନଙ୍କୁ ପୁରସ୍କାର ପ୍ରଦାନ କରି ତାଙ୍କର ଅଦମ୍ୟ ଉତ୍ସାହ, କଠିନ ପରିଶ୍ରମ ଓ ସଫଳତାକୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଟିଟିଲାଗଡ଼ ଏଥଲେଟିକ୍ ଏସୋସିଏସନ୍ର ସାଂଗଠାନିକ ସମ୍ପାଦକ ଦୀପକ ସମାଦାର, ମନୋଜ ହାତୀ, ଲକ୍ଷ୍ମୀ କାନ୍ତ ମହାପାତ୍ର, ଘିନୁ ଆଡ ଜୁଆଡ, ଚକ୍ର ପଟ୍ଟନାୟକ, ଦଳ ବେହେରା, ପଦ୍ମନାଭ ବେହେରା ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।