ଜିଲ୍ଲା ସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଏମଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ସେଣ୍ଟେନରୀ ହଲ ଠାରେ ଜିଲ୍ଲା ସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଆଲୋକ ପଟେଲ ଉଦଘାଟନ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କ ନେତୃତ୍ୱ ବିକାଶ ଓ ଉତ୍ତର ଦାୟିତ୍ୱ ପ୍ରତି ସଚେତନ କରିବାରେ ଏହି ଛାୟା ସଂସଦ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । ଜିଲ୍ଲାର ୨୧ଟି ପିଏମଶ୍ରୀ ହାଇସ୍କୁଲରୁ ମନୋନୀତ ହୋଇ ଆସିଥିବା ୮୪ଜଣ ଛାତ୍ରଛାତ୍ରୀ ବାଚସ୍ପତି, ପ୍ରଧାନମନ୍ତ୍ରୀ, କୃଷିମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ବିରୋଧୀ ଦଳ ନେତା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏହି ପ୍ରତିଯୋଗିତାରେ ପିଏମଶ୍ରୀ ପୃଥ୍ଵୀରାଜ ହାଇସ୍କୁଲର ଛାତ୍ର ଶୁଭମ ପଣ୍ଡା ଓ ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଏସ୍‌ଏସ୍‌ଡିର ଛାତ୍ରୀ ଏଲିନା କୁମାର ଶ୍ରେଷ୍ଠ ସଂସଦ ଭାବେ ଯୋଗ୍ୟ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ୨୧ଟି ପିଏମଶ୍ରୀ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟର ସଫଳ ଗାଥାକୁ ପ୍ରଦର୍ଶନୀ ମାଧ୍ୟମରେ ଦେଖାଇଥିଲେ । ଏହା ସହ କୁଇଜ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଇଓ ପୁଇଁତଲା ରତ୍ନମୟୀ ପୁରୋହିତ, ବିଇଓ ଦେଓଗାଁ ମମତା ମହାଡ଼ିକ ଓ ବିଇଓ ଗୁଡଭେଳା ନମିତା ଭୋଇ ଏହି କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉଭୟ ପ୍ରଦର୍ଶନୀ ଓ କୁଇଜ କାର୍ଯ୍ୟକ୍ରମରେ ପିଏମଶ୍ରୀ ପୃଥ୍ଵୀରାଜ ହାଇସ୍କୁଲ ପ୍ରଥମ, ପିଏମଶ୍ରୀ ସରକାରୀ ବାଳିକା ବିଦ୍ୟାଳୟ ପାଟଣାଗଡ ଦ୍ଵିତୀୟ ଓ ପିଏମଶ୍ରୀ ଧବଳେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଥିଲେ । ଡିଇଓ ପ୍ରଦୀପ କୁମାର ନାଗଙ୍କ ମାର୍ଗଦର୍ଶନରେ ତଥା ଏଡିଇଓ ପ୍ରବୀର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଡିଇଓ ରୀନା କୁମାରୀ ବେହେରା, ଏଡିଇଓ ସେବାଶ୍ରୀ ଭୋଇ, ବିଜ୍ଞାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା, ରାଜ ପ୍ରସାଦ ପ୍ରଧାନ, ସୁନୀଲ ବେହେରା, ଅଗ୍ନି ନାଏକ, ସୁନୀଲ ପାତ୍ର, ଜୟକୃଷ୍ଣ ନାଏକ, ଶଙ୍କର ମିଶ୍ର, ଶ୍ରୀକୃଷ୍ଣ ପଟେଲ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରୋଗ୍ରାମ କୋର୍ଡିନେଟର ଦେବେଶ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.