ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ “ବ୍ଲକ ସ୍ତରୀୟ ଗୀତା ଆବୃତ୍ତି” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ପ୍ରଧାନ ଆଚାର୍ଯ୍ୟ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ପ୍ରାୟ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ୍‌ ଭାଗବତ ଗୀତାର ପଞ୍ଚମ ଅଧ୍ୟାୟ ଆବୃତ୍ତି କରିଥିଲେ । ପ୍ରତିଯୋଗିତା ହୋଇଥିବା ଚାରୋଟି ବର୍ଗରେ କ’ ବିଭାଗରୁ ପ୍ରିୟଙ୍କା ଭୋଇ, ନିରୁପମା ମହାନନ୍ଦ, ଆଦ୍ୟାଶା ବାରିକ, ଖ’ ବିଭାଗରୁ ରୋମଞ୍ଚଳ ସା, ଶ୍ରୁଚି କୁଦେଇ, ମାନସ ଦଣ୍ଡସେନା, ଗ’ ବିଭାଗରୁ ଅମିତ୍ ସା, ଭବ୍ୟା ଅଗ୍ରୱାଲ, କଶିସ କୁମାର ସା ଓ ଘ’ ବିଭାଗରୁ ପ୍ରୀତି ସୁନା ପୁରସ୍କୃତ ହୋଇ ଆସନ୍ତା ନଭେମ୍ବର ୨୩ରେ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବ୍ଲକ୍ ସଂଯୋଜକ ତଥା ଗଜବନ୍ଦ କ୍ଲଷ୍ଟରର ସିଆର୍‌ସିସି ନରେନ୍ଦ୍ର ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ମୁଖ୍ୟ ଅତିଥି ସୂର୍ଯ୍ୟଭାନୁ ଦାଶ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜିର ମୁଖ୍ୟବକ୍ତା ଭଗବତ ଗୀତା ପ୍ରଚାରକ ତଥା ପ୍ରବକ୍ତା ପ୍ରକାଶ ପଧାନ ଗୀତାର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ ଓ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ପ୍ରତ୍ୟହ ଗୀତା ଅଧ୍ୟୟନ କରିବାକୁ ପ୍ରେରଣା ଦେଇଥିଲେ । ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ଅଚ୍ୟୁତାନନ୍ଦ ମହାନ୍ତି ପୁରସ୍କାର ବିତରଣରେ ସାହାଯ୍ୟ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ମାନ୍ୟଗଣ୍ୟ ସଂସ୍କୃତ ବିଦ୍ୱାନ ମଞ୍ଜୁଲତା ରଣା, ସ୍ମୃତିରେଖା ପଧାନ, ଜୟ କୁମାର ସାହୁ, ଲମ୍ବୋଦର ପଣ୍ଡା, ଅଶ୍ଵିନୀ କୁମାର ନାୟକ ପ୍ରମୁଖ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଆକାଶ ବିଶ୍ୱାଳ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଇତ୍ୟବସରରେ ପ୍ରକାଶ ପଧାନ ସ୍ୱରଚିତ ଶ୍ରୀମଦ୍‌ଭାଗବତ ଗୀତାର କୋଶଳୀ ଅନୁବାଦର ଗୋଟିଏ ଲେଖାଏଁ କପି ଶିଶୁ ମନ୍ଦିର ଓ ପ୍ରଜ୍ଞାନ ମିଶନକୁ ଅର୍ପଣ କରିଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.