ଫଟାମୁଣ୍ଡା ୟୁପି ସ୍କୁଲ ପ୍ରଧାନଶିକ୍ଷକଙ୍କ ଦାଦାଗିରି ଓ ବ୍ୟାପକ ଅନିୟମିତତା ଅଭିଯୋଗ : ସ୍କୁଲରେ ତାଲା ପକାଇ ତୀବ୍ର ପ୍ରତିବାଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର ବାଗ ବହୁ ବର୍ଷ ଧରି ଏହି ସ୍କୁଲରେ ହିଁ ରହି ଦାଦାଗିରି କରୁଥିବା ତଥା ତାଙ୍କ ଇଙ୍ଗିତରେ ସ୍କୁଲରେ ବ୍ୟାପକ ଅନିୟମିତତା ହେଉଥିବାରୁ ଅତିଷ୍ଠ ଗ୍ରାମବାସୀ ପୁଣି ଗତ ୨୧ ତାରିଖରେ ବ୍ଲକ ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ କାନ୍ତାରାମ ଧରୁଆଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଲିଖିତ ଅଭିଯୋଗ କରିବାର ୧୨ଦିନ ପରେ ବି ବିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପ୍ରତିବାଦରେ ମଙ୍ଗଳବାର ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେଇଥିଲେ । ଘଟଣାସ୍ଥଳକୁ ନିଜେ ବିଇଓ ଶାନ୍ତନୁ କୁମାର ପଢ଼ିହାରୀ ପହଞ୍ଚି ଆଗାମୀ ୫ଦିନ ମଧ୍ୟରେ ଲିଖିତ ଅଭିଯୋଗଗୁଡ଼ିକ ସମ୍ପର୍କରେ ସ୍କୁଲରେ ବୈଠକ କରି ଆଲୋଚନା କରିବା ପାଇଁ ନିଶ୍ଚିତ ପ୍ରତିଶ୍ରୁତି ଦେବାରୁ ୪ଘଣ୍ଟା ପରେ ଧାରଣା ପ୍ରତ୍ୟାହୃତ ହୋଇ ସ୍କୁଲ ଫାଟକରୁ ତାଲା ଖୋଲିଥିଲା । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ ପରିଚାଳନା କମିଟିରେ ରହିବା ପାଇଁ ସରକାରଙ୍କ ସ୍ପଷ୍ଟ ନିୟମ ଥିବା ବେଳେ ଫଟାମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚତୁର ବାଗ ତାଙ୍କ ମନମୁଖୀ କରି ତାଙ୍କୁ ସୁହାଇଲା ଭଳି ବାହାର ଲୋକ, ବୃଦ୍ଧ ବୃଦ୍ଧାଙ୍କୁ ବର୍ଷ ବର୍ଷ ଧରି ସ୍କୁଲ କମିଟିରେ ରଖିଛନ୍ତି । ଦୀର୍ଘ ବର୍ଷ ଧରି ଥିବା ଏହି ସ୍କୁଲ କମିଟିକୁ ସମ୍ପୂର୍ଣ୍ଣ ରଦ୍ଧ କରିବା ଓ ଏକ ନୂତନ ସ୍କୁଲ ପରିଚାଳନା କମିଟି ଗଠନ କରିବା ପାଇଁ ଗ୍ରାମବାସୀ ବିିଇଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ସେହିପରି ଶିଶୁ ସେବିକା ନିଯୁକ୍ତିରେ ବ୍ୟାପକ ଅନିୟମିତତା କରି ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ପଚାରିଲେ ଓଲଟା ଗ୍ରାମବାସୀଙ୍କୁ ଧମକ ଚମକ ଦେବା ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଫଟାମୁଣ୍ଡା ଗ୍ରାମର ମହିଳାମାନେ । ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବରେ ମଧ୍ୟାହ୍ନ ଭୋଜନ ଦେବା ଓ ପାଠ ପଢାଇବା ପାଇଁ କହିଲେ ଅଭିଭାବକମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ବାଗ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ତୁମର ସ୍କୁଲରେ କାମ ନାହିଁ କହି ତଡି ଦେଉଥିବା ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗୁରୁତର ଅଭିଯୋଗ କରିବା ସହ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯୋଗ୍ୟ ପ୍ରାର୍ଥୀଙ୍କୁ ଶିଶୁ ସେବିକା ପଦବୀରେ ନିଯୁକ୍ତି ଦିଆଯିବାକୁ ଦୃଢ଼ ଦାବି କରିଥିଲେ । ପୂର୍ବରୁ ସ୍କୁଲର କେତେଜଣ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ଆଘାତ ପାଇ ଆହତ ହେବା ଓ ଜଣେ ଛାତ୍ରୀ ନିଜ ବାପା ମା’ ଦାଦନ ଖଟିବାକୁ ଯାଇଥିବା ଭଳି ସତକଥା କହିବାରୁ ଜନୈକ ଶିକ୍ଷୟିତ୍ରୀ ତାଙ୍କୁ ନିସ୍ତୁକ ମାଡ ମାରିବା ଭଳି ଘଟଣାରେ ପ୍ରଧାନଶିକ୍ଷକ ଶ୍ରୀ ବାଗଙ୍କ ଭୂମିକା ସନ୍ଦେହ ଘେରରେ ଥିବା ଗ୍ରାମବାସୀ ଗୁରୁତର ଅଭିଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଗ୍ରାମବାସୀ ବହୁଥର ପ୍ରଧାନଶିକ୍ଷକଙ୍କ ନାମରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ହାତ କରି ଫଟାମୁଣ୍ଡା ସ୍କୁଲରେ ହିଁ ଆସ୍ଥାନ ଜମାଇ ଦାଦାଗିରି କରି ଆସୁଥିବା ଗ୍ରାମବାସୀ ଲିଖିତ ଭାବେ ଗୁରୁତର ଅଭିଯୋଗ କରି ତଦନ୍ତ ଦାବି କରିଥିଲେ । ଆସନ୍ତା ରବିବାର ଦିନ ସ୍କୁଲରେ ନୂତନ ପରିଚାଳନା କମିଟି ଗଠନ କରାଯିବ ବୋଲି ନୋଟିସ କରାଯାଇଥିବା ଜଣାପଡିଛି । ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହ ଧାରଣାରେ ଗ୍ରାମର ଭାଗ୍ୟ ମହାକୁର, ଦୁଷ୍ମନ୍ତ ଭଇଁସାଲ, କଳାବତି ବାଗ, ମନିଷା କେତକୀ, ସନ୍ତୋଷିନି ବଗର୍ତ୍ତି, ଶାନ୍ତି ଠେଲା, ଗୁଣ ପାୟସିଂ, ୱାର୍ଡ ସଭ୍ୟ ଶିବାନୀ କେତକୀ, ନଳିନୀ କେତକୀ, ପ୍ରେମଶିଳା କେତକୀ, ଲଳିତ ବେହେରା, ହୁଙ୍କାର କେତକୀଙ୍କ ସହ ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ଉପସ୍ଥିତ ରହି ଲିଖିତ ଅଭିଯୋଗଗୁଡ଼ିକର ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦୃଢ଼ ଦାବି କରିଥିଲେ ।

Leave A Reply

Your email address will not be published.