ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ବଦଳି ପ୍ରସଙ୍ଗରେ ଇସ୍ତାହାର ପ୍ରକାଶ ପାଇବା ପରେ କଣ୍ଟାମାଳ ବ୍ଲକ ଉମା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅସନ୍ତୋଷ ଦେଖାଦେଇଛି । ଆଜି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ସର୍ବମୋଟ ୨୬୫ ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ୮ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ କମ ରହିଛନ୍ତି । କିନ୍ତୁ ବିଦ୍ୟାଳୟର ଜୁନିଅର ଶିକ୍ଷୟିତ୍ରୀ ବବିତା ଦେହୁରୀଙ୍କୁ ବୌଦ୍ଧ ବ୍ଲକ ଏବଂ ସହକାରୀ ଶିକ୍ଷକ ବାଲ୍ମୀକି ପ୍ରଧାନଙ୍କୁ ହରଭଙ୍ଗା ବ୍ଲକ ଗୋଛାସାହିକୁ ସ୍ଥାନାନ୍ତର କରାଯାଇଛି । ଏହାର ପ୍ରତିବଦଳରେ କୌଣସି ଶିକ୍ଷକ ଯୋଗାଇ ଦିଆଯାଉ ନାହିଁ । ଫଳରେ ଏହାର ପ୍ରତିବାଦରେ ଆଜି ସକାଳ ୧୦ଟା ସମୟରୁ ଅପରାହ୍ନ ୧.୩୦ମି. ପର୍ୟ୍ୟନ୍ତ ବିଦ୍ୟାଳୟରେ ତାଳବନ୍ଦ ଆନ୍ଦୋଳନ କରାଯାଇଥିଲା । ଖବର ପାଇ ଜିଲ୍ଲାଶିକ୍ଷାଧିକାରୀ ଅନ୍ୟଏକ ଶିକ୍ଷକ ଯୋଗାଇ ଦେଇଥିବା ସିଆରସିସି ବିଜୟ ମାଝୀ କହିଥିଲେ ଏବଂ ବିଦ୍ୟାଲୟରେ ୧୦ଦିନ ଭିତରେ ଆଉଜଣେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ବିଧାୟକ ମହୀଧର ରଣା ପ୍ରତିଶୃତି ଦେବାପରେ ବିଦ୍ୟାଳୟ ଗେଟରୁ ତାଳା ଖୋଲା ଯାଇଥିଲା । ୧୦ଦିନ ଭିତରେ ଶିକ୍ଷକ ଯୋଗାଇ ଦିଆନଗଲେ ପୁଣି ତାଲାବନ୍ଦ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ କହିଛନ୍ତି । ପ୍ରତିବାଦ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଦସ୍ୟ/ସଦସ୍ୟା, ଅଭିଭାବକ/ଅଭିଭାବିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟ ବନ୍ଦ ଥିବାରୁ ଶିକ୍ଷକମାନେ ବାହାରେ ରହିଥିଲେ ଏବଂ ତାଲା ଖୋଲାଯିବାପରେ ଅପରାହ୍ନରେ ଶିକ୍ଷାଦାନ କରାଯାଇଥିଲା ।
Next Post