ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍ଏସି କାର୍ଯ୍ୟନିଷ୍ଠା, ପରୋପକାର, କର୍ତବ୍ୟ ପରାୟଣ ସଚ୍ଚୋଟ ଅଫିସରଙ୍କ ହଠାତ ଗଞ୍ଜାମ ଏନ୍ଏସିରୁ ବଦଳି କରିବା ଗଞ୍ଜାମବାସୀଙ୍କୁ ମର୍ମାହତ କରିଦେଇଛି । ଗଞ୍ଜାମର ବିକାଶ ପଥରେ ଇଓ ଅବିନାଶ ମିଶ୍ରଙ୍କ ଭୂମିକା ଅତୁଳନୀୟ । ଶ୍ରୀ ମିଶ୍ର ଗଞ୍ଜାମ ଏନ୍ଏସିରେ ଯୋଗ ଦେବା ପରଠାରୁ ଗଞ୍ଜାମ ବିକାଶ ପଥରେ ବଢ଼ି ଚାଲିଥିବା ବେଳେ ହଠାତତ ତାଙ୍କ ବଦଳି ହେଉଥିବା ଘଟଣାକୁ ନେଇ ଗଞ୍ଜାମ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଞ୍ଜାମ ଏନ୍ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳିକୁ ପ୍ରତିବାଦ କରି ଏନ୍ଏସିର ସମସ୍ତ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ମହିଳା ଓ ପୁରୁଷ ସୁଇପରଙ୍କ ସମେତ ସ୍ଥାନୀୟ ଅଂଚଳର ଜନସାଧାରଣ ଶନିବାର ଦିନ ଏନ୍ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପଦର୍ଶନ କରିଛନ୍ତି । ଇଓ ଶ୍ରୀ ମିଶ୍ରଙ୍କ ବଦଳି ସ୍ଥଗିତ କରିବାକୁ ସେମାନେ ଦାବୀ କରିଛନ୍ତି । ବଦଳି ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ । ଏନ୍ଏସି ଅସ୍ଥାୟୀ ସୁଇପରମାନେ ସାନିଟେସନ ତଥା ସଫେଇ କାର୍ଯ୍ୟ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଇଓ ଶ୍ରୀ ମିଶ୍ରଙ୍କ ରାତି ଅଧିଆ ବଦଳିକୁ ସମସ୍ତ ବର୍ଗର ମହିଳା ଗୋଷ୍ଠୀ ଦୃଢ଼ ନିନ୍ଦା କରିଥିଲେ । ଇଓଙ୍କ ବଦଳି ପ୍ରତିବାଦକୁ ଏନ୍ଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ ସମସ୍ତ କାଉନସିଲର ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏଥିସହ ବଦଳିକୁ ଆଉ କିଛି ମାସ ସ୍ଥଗିତ ରଖିବାକୁ ମହିଳା ଗୋଷ୍ଠୀ ଓ ଜନପ୍ରତିନିଧିମାନେ ଦାବୀ କରିଛନ୍ତି । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ ଇଓ ଅଭିନାଶ ମିଶ୍ର ଧାରଣାସ୍ଥଳକୁ ଆସି ବୁଝାସୁଘା କରିବା ପରେ ଫାଟକ ସମ୍ମୁଖରୁ ସମସ୍ତେ ଉଠି ଯାଇଥିଲେ କିନ୍ତୁ ଇଓଙ୍କ ବଦଳି ହେବ ନାହିଁ ଲିଖିତ ଆକାରରେ ନ ଦେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କହିଥିଲେ । ଲିଖିତ ପ୍ରତିଶୃତି ନ ପାଇବାରୁ ପୁଣି ଏନ୍ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣରେ ବସି ରହିଥିବା ଦେଖିବାକୁ ମିଳିଛି ।