ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବାରୁ ଏହା ଏକ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପରିଚିତ ହୋଇଛି । ପ୍ରଧାନ ଶିକ୍ଷକ ରାମଗୋପାଳ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଥିବା ୨ଜଣ ପୁରାତନ ଛାତ୍ରଛାତ୍ରୀ ସ୍ୱାଧୀନ ପଧାନ ଓ ଆସ୍ଥାରାଣୀ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଶୃଙ୍ଖଳାର ସହିତ ଅଧ୍ୟୟନ କରି ଜଣେ ଭଲ ଡାକ୍ତର ଭାବରେ ସମାଜରେ ଉଦାହରଣ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଏହି ବିଦ୍ୟାଳୟରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥବା ଗଣିତ ଶିକ୍ଷକ ମଧୁସୂଦନ ଉର୍ମା ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇଥିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ତାଙ୍କ ସ୍ଥାନରେ ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକ କୃପାସିନ୍ଧୁ ନାଏକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସହକାରୀ ଲୋକନାଥ ପଧାନ, ଲୋକନାରାୟଣ ମହାନନ୍ଦ, ଶିକ୍ଷୟିତ୍ରୀ ମନ୍ଦାକିନୀ ସାହୁ ବିଦାୟୀ ଶିକ୍ଷକଙ୍କ ସ୍ମୃତିଚାରଣ କରିବା ସହ ନୂତନ ଶିକ୍ଷକଙ୍କୁ ସ୍ୱାଗତ କରିଥିଲେ । କଳା ଶିକ୍ଷକ ରାଜେନ୍ଦ୍ର ପଧାନଙ୍କ ମାର୍ଗଦର୍ଶନରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ବିଦାୟ ସଂଗୀତ ଗାନ କରିଥିଲେ । ଶାରୀରିକ ଶିକ୍ଷକ ଥପା, ଅଭିଭାବକ ଅଚ୍ୟୁତାନନ୍ଦ ସାହୁ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସୁରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.