oum

୫୦ ବର୍ଷର ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ବୈମାତୃକ ମନୋଭାବ କାହିଁକି ?

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହାରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି । ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ ନିର୍ମାଣ ହୋଇଥିବା ଅନ୍ତେବାସୀ କୋଠାର ଜମି ଅନ୍ୟମାନଙ୍କ ନାଁରେ ପଟ୍ଟା ଅଛି । ଖାତା ନଂ ୮୦, ପ୍ଲଟ ନଂ ୨୬୮/୧୧୫୨/୮୭୫ଟି ବିଶ୍ୱମ୍ବର ମଲ୍ଲିକ, ଦୟାନିଧି ମଲ୍ଲିକ, ବଶିଷ୍ଟ ମଲ୍ଲିକ, ଶିବୁନା ମଲ୍ଲିକଙ୍କ ନାମରେ ପଟ୍ଟା ଅଛି । ଉକ୍ତ ବ୍ୟକ୍ତିଙ୍କ ବାପାମାନେ ବିଦ୍ୟାଳୟ ନିର୍ମାଣ ପାଇଁ ଜାଗାଟିକୁ ଦାନସୂତ୍ରେ ପ୍ରଦାନ କରିଥିଲେ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି । କିନ୍ତୁ ଏହାର କୌଣସି ପ୍ରମାଣ ନାହିଁ । ବର୍ତ୍ତମାନ ଏହି ବିଦ୍ୟାଳୟରେ ଆଦିବାସୀ ସମନ୍ୱିତ ଆନୁକୂଲ୍ୟରେ ୪୦ ଶଯ୍ୟା ବିଶିଷ୍ଟ ୩୦ ବର୍ଷ ହେବ ଚାଲୁଛି । ବର୍ତ୍ତମାନ ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପଢୁଛନ୍ତି । ନା ଅଛି ଶ୍ରେଣୀଗୃହ ନା ଅଛି ଛାତ୍ରାବାସ । ବର୍ତ୍ତମାନ ଅନ୍ତେବାସୀଙ୍କ କୋଠାରେ ବର୍ଷା ପାଣି ଗଳୁଛି । ଏଠାରେ ରହିବାର ସୁବିଧା ନଥିବାରୁ ୪୦ ଜଣ ରହିବା ବଦଳରେ ହଷ୍ଟେଲ୍‌ରେ ମାତ୍ର ୨୧ ଜଣ ଛାତ୍ର ରହୁଛନ୍ତି । ଅନ୍ୟ ଏକ ଶ୍ରେଣୀ ଗୃହ ରୂପେ ବ୍ୟବହାର ହେଉଥିବାରୁ ଚଟାଣଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ଯାହାକି କଞ୍ଚା ମାଟିରେ ତାଳି ପକାଯାଇ କାମ ଚଳାଯାଉଛି । ଏହି ବିଦ୍ୟାଳୟରେ ୫ ଜଣ ଶିକ୍ଷୟତ୍ରୀ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ସର୍ବଶିକ୍ଷା ଅଭିଯାନରେ ନିର୍ମାଣ ହୋଇଥିବା ଶୌଚାଳୟଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ଏପରିକି ଛାତ୍ରାବାସରେ ନା ଅଛି ପାଣି ନା ଅଛି ଆକ୍ଵାଗାର୍ଡ । କୂପ ଏବଂ ସରକାରୀ ଯୋଗାଣରେ ଆସୁଥିବା ପାଣିରେ ଚାଲୁଛି ମଧ୍ୟାହ୍ନ ଭୋଜନ ଏବଂ ଅନ୍ତେବାସୀଙ୍କ ଖାଦ୍ୟ ପ୍ରସ୍ତୁତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟର ସମସ୍ୟା ସମାଧାନ କରିବା ପାଇଁ ବିଦ୍ୟାଳୟ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.