ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଡିଜିଟାଲ ଶିକ୍ଷା ପାଠ୍ୟକ୍ରମ ପ୍ରଦାନ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନସ୍ଥ ଓକେସିଏଲ୍ ଓଡିଶାରେ ଏହାର ନେଟୱାର୍କ ସହଭାଗିତାରେ ଥିବା ୫ ଶହରୁ ଅଧିକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ମାଧ୍ୟମରେ ଲକ୍ଷାଧିକ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରିଛି । ଗଞ୍ଜାମ ଜିଲ୍ଲାରେ ଗତ ୨୦୨୩ ମସିହାରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏହି ତାଲିମ ପ୍ରାପ୍ତ ହୋଇଥିବା ହେତୁ ଗଞ୍ଜାମ ଜିଲ୍ଲା ଏ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି । ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ କିମ୍ସ୍ ଅଡିଟୋରିୟମଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ଓକେସିଏଲ୍ର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ୍ ରେଖା ମହାନ୍ତିଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଓକେସିଏଲ୍ର ଏକମାତ୍ର ମହିଳା ଜିଲ୍ଲା ମୁଖ୍ୟ ଭାବେ କାର୍ଯ୍ୟରତ ରେଖା ମହାନ୍ତିଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ମହିଳା ସଶକ୍ତିକରଣର ପ୍ରକୃଷ୍ଟ ଉଦାହରଣ ବୋଲି ଡକ୍ଟର ପୁଥଳ ଏହି ଅବସରରେ କହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଖାଙ୍କ ନେତୃତ୍ୱରେ ପୂର୍ବରୁ ୨୦୧୭, ୨୦୧୮ ଓ ୨୦୨୨ ମସିହାରେ ମଧ୍ୟ ଗଞ୍ଜାମ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହି ସଫଳତା ପାଇଁ ରେଖାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
Next Post