om academy

ମନ୍ତ୍ରୀ ହେବାପରେ ମୁକେଶଙ୍କ ପ୍ରଥମ ବଲାଙ୍ଗିର ଗସ୍ତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନ୍ତ୍ରୀ ହେବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆଜି ଅପରାହ୍ନରେ ପ୍ରଥମ ଥର ପାଇଁ ବଲାଙ୍ଗିର ଗସ୍ତରେ ଆସି ପହଂଚିଥିବା ବେଳେ ବଲାଙ୍ଗିରବାସୀଙ୍କ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବଲାଙ୍ଗିର ସହରରେ ପହଂଚି ମନ୍ତ୍ରୀ ଡ. ମହାଲିଙ୍ଗ ପ୍ରଥମେ ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ପହଂଚି ରୋଗୀମାନଙ୍କ ୱାର୍ଡ ଭିଜିଟ୍‌ କରି ସ୍ୱାସ୍ଥ୍ୟସେବାକୁ ନେଇ ରୋଗୀମାନଙ୍କ ସହ, ଡାକ୍ତରଖାନା ପ୍ରଶାସକ ଓ ଡାକ୍ତରମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହାପରେ ସେ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚି ଦେବୀଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଓଡ଼ିଶାବାସୀ ଭାରତୀୟ ଜନତା ପାର୍ଟିକୁ ଅକୁଣ୍ଠ ଚିତ୍ତରେ ଆଶୀର୍ବାଦ କରିବା ପରେ ଏବେ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଭାରତୀୟ ଜନତା ପାର୍ଟି ଲୋକଙ୍କ ପ୍ରଚୂର ଆଶୀର୍ବାଦ ପାଇଛି । ଓଡ଼ିଶାରେ ମନ୍ତ୍ରୀମଣ୍ଡଳ ଗଠନ ପରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମିଳିଥିବାରୁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ତିନିଜଣ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ଓଡ଼ିଶାର ସ୍ୱାସ୍ଥ୍ୟସେବା ଦିଗକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସେ ଯଥେଷ୍ଟ ଯତ୍ନବାନ ହେବେ ଓ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟସେବା ଦିଗରେ ରହିଆସିଥିବା ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେଇ କାର୍ଯ୍ୟ କରିବେ । ଦେବୀଙ୍କ ଆଶୀର୍ବାଦ ନେବା ପରେ ମନ୍ତ୍ରୀ ଡ. ମହାଲିଙ୍ଗଙ୍କୁ ଗୋପାଳଜୀ ମନ୍ଦିର ଠାରେ ବଲାଙ୍ଗିର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.