
ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଚତୁର୍ଥ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଉପହାର ତରଫରୁ ନାଟକ ଇଶ୍ଵର ଆଲ୍ଲା ତେରା ନାମ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ସୂର୍ଯ୍ୟକାନ୍ତ ସାହୁ ରଚନା ଓ ନିର୍ଦ୍ଦେଶନା ସୂର୍ଯ୍ୟ ନାରାୟଣ ଦାଶ ଦେଇଥିଲେ । ନାଟକରେ ବିଷୟ ବସ୍ତୁ ଏହିପରି ଧର୍ମ ତ ହେଉଛି ଗୋଟିଏ । ସେ ହେଉଛି ମାନବର ଧର୍ମ ,ସତ୍ୟର ଧର୍ମ, ଅହିଂସାର ଧର୍ମ । କିନ୍ତୁ କିଛି ଲୋକ ନିଜର ସ୍ୱାର୍ଥ ପାଇଁ ଜାତି, ଧର୍ମ, ଆଢ଼ୁଆଳରେ ଲୁଚି ରହି ସମାଜକୁ କଳୁଷିତ କରିବା ପାଇଁ ଆଗେଇ ଆସନ୍ତି । ଆଉ ସେମାନଙ୍କ ଗର୍ବ, ଅହଙ୍କାରର ଶିକାର ହୁଅନ୍ତି ଦୁଇଟି ନିରୀହ ଜୀବନ । ସେମାନେ ଜାଣି ନ ଥାନ୍ତି ଜାତି କଣ? ଧର୍ମ କଣ? ପରସ୍ପର ଭିତରେ ବାନ୍ଧି ହେଇ ଏକ ନୂତନ ସମାଜ ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖନ୍ତି । କିନ୍ତୁ ତାଙ୍କ ସ୍ୱପ୍ନ ସତ ହେବା ଆଗରୁ ସବୁ କିଛି ଓଲଟ ପାଲଟ ହେଇଯାଏ । ଯେମିତି ସୀମା ଆଉ ସବନମ୍ । ଭିନ୍ନ ସମ୍ପ୍ରଦାୟର ହେଇ ମଧ୍ୟ ନୂତନ ସମାଜ ଗଢ଼ିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ବଳି ପଡନ୍ତି ଧର୍ମ ଓ ଜାତିର ଯୁଇରେ । ଜାତି କଣ ? ଧର୍ମ କଣ? ବୁଝିବା ଆଗରୁ ତାଙ୍କ ଭଲ ପାଇବାକୁ ପାଦ ତଳେ ଦଳି ଚକଟି ଦିଅନ୍ତି, ଗୋଟିଏ ମନ, ଗୋଟିଏ ଜୀବନ ହେଇ ବଞ୍ଚି ଆସୁଥିବା ହିନ୍ଦୁ ସମାଜର ପୁରୋହିତ ରାମ ପଣ୍ଡା ଓ ମୁସଲିମ୍ ସମ୍ପ୍ରଦାୟର ରହିମ୍ ଖାଁ ପରିବାର ମଧ୍ୟରେ କଳା ବାଦଲ ମାଡ଼ି ଆସେ । ଦୁଇ ବନ୍ଧୁନିଜ ନିଜର ସ୍ୱାର୍ଥ ପାଇଁ ବର୍ଷ ବର୍ଷ ଧରି ରହି ଥିବା ସୁସମ୍ପର୍କ, ଭାଇ ଚାରା ମଝିରେ ଅବିଶ୍ୱାସର ପାଚେରୀ ଠିଆ କରି ଦିଅନ୍ତି । ତା’ପରେ ଆରମ୍ଭ ହୋଇଯାଏ ଦୁଇ ବଉଳଙ୍କ ଉପରେ ପାସବିକ ଅତ୍ୟାଚାର । ଏହାକୁ ନେଇ ଗତିଶୀଳ ହୋଇଛି ନାଟକ । ଏହି ନାଟକରେ ପ୍ରଳୟ ଶତପଥୀ ମଞ୍ଚ, ଭାସ୍କର ପୁହାଣ ଓ ଅଜୟ ପାଣି ସଂଗୀତରେ ସହଯୋଗ କରିଥିଲେ । ଅଭିନୟରେ ସର୍ବଶ୍ରୀ ସୁମିତ, ମନୋଜ, କମଳି, ରାଜଲକ୍ଷ୍ମୀ, ସ୍ନେହା, ବୀଣାପାଣି, ପ୍ରଫୁଲ୍ଲ, ସୁନିଲ, ସନ୍ତୋଷ, ଚିନ୍ମୟ, ଅନିଲ ପ୍ରମୁଖ ଅଭିନୟ କରିଥିଲେ । ଆଜିର ଏହି ନାଟକରେ ମୁଖ୍ୟ ଅତିଥିଭାବେ ସମାଜସେବୀ ସୁନିଲ କାୟଲ ଓ ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସଭାପତିତ୍ୱକୈଳାଶ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସଦସ୍ୟ ପ୍ରବୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀକାୟଲ ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଦେବା ସହ ଏକତ୍ରର ସାହିତ୍ୟ ଓ ସଂସ୍କୃତି ତଥା ନାଟକ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସମ୍ମାନିତ ଅତିଥି ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ ନାଟକ ଆମ ଜୀବନର କଥା କୁହେ ବୋଲି ମତ ରଖିଥିଲେ । ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, ଆଲୋକ ବୋଷ, ସୁମନ ଦତ୍ତ, ପ୍ରଶାନ୍ତ ପତି, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଶରତ ଦାସ, ରମେଶ ମହାନ୍ତି, ପ୍ରଦୀପ ନାୟକ, ବସନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶୁଭଶ୍ରୀ ଦାସ ମଞ୍ଚ ସଂଯୋଜନା କରିଥିଲେ । କଲ୍ୟାଣୀ ଦାସ ଓ କ୍ଷୀରୋଦା ବାରିକ ପରିଚାଳନାରେ ସହଯୋଗ କରିଥିଲେ ।