ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନଭେମ୍ବର ୧୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ପ୍ରାଙ୍ଗଣରେ ରାଉରକେଲା ଆର୍ଟ ଅଫ୍ ଲିଭିଂ ପରିବାର ଆନୁକୂଲ୍ୟରେ ସୋମନାଥ ମହାଦେବଙ୍କ ପ୍ରାଚୀନ ତଥା ମୂଳ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ଏବଂ ରୁଦ୍ରାଭିଷେକ ଉପଲକ୍ଷେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପାଇଁ ଆହୁତ ଏକ ଗଣମାଧ୍ୟମ ସମ୍ମିଳନୀରେ ଏ ସମ୍ପର୍କରେ କିଛି ଖୁବ୍ ଚମକପ୍ରଦ ତଥ୍ୟ ପ୍ରଦାନ କରାଯାଇଛି । ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିରରେ ଆହୁତ ଗଣମାଧ୍ୟମ ସମ୍ମିଳନୀର ସଞ୍ଚାଳନ କରି ଏ ସମ୍ପର୍କରେ ସୂଚନା ଦେଇ ଆର୍ଟ ଅଫ୍ ଲିଭିଂ ବରିଷ୍ଠ ପ୍ରଶିକ୍ଷକ ରଶ୍ମିରଞ୍ଜନ ଦାସ ପ୍ରକାଶ କରିଥିଲେ ଯେ, ବିଗତ ଏକ ହଜାର ବର୍ଷ ତଳେ ୧୦୨୦ରୁ ୧୦୨୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବିଦେଶୀ ଆକ୍ରମଣକାରୀ ମହମ୍ମଦ ଗଜନୀ ଇତିହାସ ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ବାରମ୍ବାର ଆକ୍ରମଣ କରିଥିଲା । ଏହି ଆକ୍ରମଣ ଗୁଡ଼ିକରେ ମନ୍ଦିର ଭାଙ୍ଗିବା ସହ ସୋମନାଥଙ୍କ ମୂଳ ଜ୍ୟୋତିର୍ଲିଙ୍ଗକୁ ମଧ୍ୟ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା । ଏହି ମୂଳ ଜ୍ୟୋତିର୍ଲିଙ୍ଗ ଶୂନ୍ୟରେ ଭୂମି ଠାରୁ ଅଳ୍ପ ଉଚ୍ଚତାରେ ଭାସମାନ ଅବସ୍ଥାରେ ଥିଲା ବୋଲି ଇତିହାସରୁ ଜଣାଯାଏ । ତେବେ, ମହାପ୍ରଭୁଙ୍କ ଅଗ୍ନିହୋତ୍ରୀ ପୂଜକମାନେ ଜ୍ୟୋତିର୍ଲିଙ୍ଗଙ୍କ ବିଖଣ୍ଡିତ ଅଂଶ ଗୁଡ଼ିକୁ ବିଗତ ଏକ ହଜାର ବର୍ଷ ଧରି ଯତ୍ନର ସହ ସହିତ ସାଇତି ରଖିଥିଲେ ଏବଂ ୧୯୨୪ ଖ୍ରୀଷ୍ଟାବ୍ଦରେ କାଞ୍ଚି କାମକୋଟି ପୀଠ ଶଙ୍କରାଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଜ୍ୟୋତିର୍ଲିଙ୍ଗ ସମୂହକୁ ଅତି ଗୋପନୀୟ ଭାବେ ସାଇତି ରଖିବା ଏବଂ ସେବେଠାରୁ ଏକ ଶହ ବର୍ଷ ପରେ ଏହି ଜ୍ୟୋତିର୍ଲିଙ୍ଗ ସମୂହକୁ କର୍ଣ୍ଣାଟକର ସନ୍ଥ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଅର୍ପଣ କରିବା ପାଇଁ ସେ ସମୟର ଶଙ୍କରାଚାର୍ଯ୍ୟ ନିର୍ଦ୍ଦେଶ ଦେଇଥିଲେ । ବିଗତ ଏକ ଶହ ବର୍ଷ ତଳର ନିର୍ଦ୍ଦେଶ ଅନୁଯାୟୀ, ଏହି ଅଗ୍ନିହୋତ୍ରୀ ପୂଜକମାନେ ଗତ ଜାନୁୟାରୀ ମାସରେ ଏହି ସର୍ବ ପୁରାତନ ଜ୍ୟୋତିର୍ଲିଙ୍ଗ ସମୂହକୁ ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ସଂସ୍ଥାପକ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହସ୍ତରେ ଅର୍ପଣ କରିଛନ୍ତି । ବିଶ୍ୱ ଗଣମାଧ୍ୟମରେ ଏ ସମ୍ପର୍କରେ ସମ୍ପ୍ରତି ଚର୍ଚ୍ଚା ଜାରି ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ସୋମନାଥଙ୍କ ଏହି ମୂଳ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ଏବଂ ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମହାଦେବଙ୍କ ଆଶୀର୍ବାଦ ଲାଭ କରିବାର ବିରଳ ଅନୁଭୂତି ପାଇବା ପାଇଁ ରାଉରକେଲାର ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆର୍ଟ ଅଫ୍ ଲିଭିଂ ପରିବାର ତରଫରୁ ନିମନ୍ତ୍ରଣ କରାଯାଇଛି । ଏହି ଗଣମାଧ୍ୟମ ସମ୍ମିଳନୀରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ତରଫରୁ ଗିରିଜା ଶଙ୍କର ଦାସ, ବେରିନ୍ଦର ସିଂ ସାହୋଟା, ଶ୍ରୀମତୀ ବବଲି ବଲବିନ୍ଦର, ସଞ୍ଜୟ ମହାନ୍ତି, ରବିନ୍ଦ୍ର ଘଡେଇ, ଗୌରବ ସୁଲତାନିଆ, କମଲ ଅଗ୍ରୱାଲ, ଅଶୋକ ପଶାରି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.